ଆଇପିଏଲ୍-୨୦୨୨ : ବ୍ୟାଟିଂ ପରେ ଦମଦାର ବୋଲିଂ, ହାଇଦ୍ରାବାଦ ବିପକ୍ଷରେ ୨୧ ରନ୍ରେ ଜିତିଲା ଦିଲ୍ଲୀ
ମୁମ୍ବାଇ: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ୨୧ ରନ୍ରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ଡେଭିଡ୍ ୱାର୍ଣ୍ଣର ଏବଂ ରୋଭମାନ ପାୱେଲ୍ ବିସ୍ଫୋରଣ ବ୍ୟାଟିଂ ବଳରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଲଗାତାର ତୃତୀୟ ମ୍ୟାଚ୍ ହାରିଲା ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ୧୦ଟି ଲେଖାଏଁ ମ୍ୟାଚ୍ ଖେଳି ୫ଟି ଲେଖାଏଁ ବିଜୟ ସହ ୧୦ ପଏଣ୍ଟ ସହ ଟେବୁଲ୍ ତାଲିକାରେ ହାଇଦ୍ରାବାଦ ୫ମ ଓ ଦିଲ୍ଲୀ ୬ଷ୍ଠ ସ୍ଥାନରେ ରହିଛନ୍ତି ।
ଏହି ମ୍ୟାଚ୍ରେ କେନ୍ ୱିଲିୟମସନ ଟସ୍ ଜିତି ଦିଲ୍ଲୀକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦିଲ୍ଲୀ ପାଇଁ ଆଜି ନୂଆ ଯୋଡ଼ି ୱାର୍ଣ୍ଣର ଓ ମନଦୀପ ସିଂହ ଇନିଂସ ଆରମ୍ଭ କରିଥିଲେ। ହେଲେ ମନଦୀପ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭର୍ରେ ହିଁ ଭୁବନେଶ୍ୱର କୁମାରଙ୍କ ଶିକାର ବନିଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ ମାର୍ଶ କେବଳ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିବା ସେନ ଆବୋଟ୍ଟ ନେଇଥିଲେ। ୩୭ ରନ୍ରେ ଦୁଇ ୱିକେଟ ହରାଇ ସାମନ୍ୟ ବ୍ୟାକଫୁଟରେ ଥିବା ଦିଲ୍ଲୀ ଏଠାରୁ ଅଧିନାୟକ ଋଷଭ ପନ୍ତ ଓ ୱାର୍ଣ୍ଣର ସମ୍ଭାଳିଥିଲେ। ଉଭୟ ଦ୍ରୁତଗତିରେ ରନ୍ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୮୫ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ବଡ଼ ଶଟ୍ ଖେଳିବା ଲୋଭରେ ପନ୍ତ(୨୬) ଶ୍ରେୟସ ଗୋପାଲଙ୍କ ବଲ୍ରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ଦିଲ୍ଲୀ ୩ଟି ୱିକେଟ ହରାଇ ଥିଲେ ମଧ୍ୟ ୱାର୍ଣ୍ଣର ଓ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ପାୱେଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଉଭୟ ବଡ଼ବଡ଼ ଶଟ୍ ଖେଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ୱାର୍ଣ୍ଣର ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ୧୯ତମ ଓଭର୍ର ବୋଲିଂ କରୁଥିବା ଭୁବନେଶ୍ୱର କୁମାରଙ୍କୁ ଲଗାତର ଦୁଇଟି ଚୌକା ମାରି ୱାର୍ଣ୍ଣର ୪ର୍ଥ ୱିକେଟ ପାଇଁ ପାୱେଲଙ୍କ ସହ ମିଶି ୧୦୦ ରନ୍ର ପାର୍ଟନଶିପ ପୂରଣ କରିଥିଲେ। ଏହି ଓଭର୍ରେ ଦିଲ୍ଲୀ ୧୪ ରନ୍ ହାସଲ କରିଥିଲା। ୨୦ତମ ଓଭର୍ ପ୍ରଥମ ବଲରରେ ଉମ୍ରାନ ମଲିକଙ୍କୁ ଛକା ମାରି ପାୱେଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଗୋଟିଏ ବଲ ଛାଡ଼ି ସେ ଲଗାତର ୩ଟି ଚୌକା ମାରି ନିଜର ବିସ୍ଫୋରକ ଅନ୍ଦାଜ ଦେଖାଇଥିଲେ। ଶେଷ ବଲର୍ରେ ୧ ରନ୍ ହେବାରୁ ଦିଲ୍ଲୀ ୨୦୭ ରନ୍ରେ ପହଞ୍ଚି ପାରିଛି। ପାୱେଲ ୩୫ ବଲରେ ଅପରାଜିତ ୬୭ ରନ୍ କରିଛନ୍ତି। ଏହି ଇନିଂସରେ ସେ ୩ଟି ଚୌକା ଓ ୬ଟି ଛକା ମାରିଛନ୍ତି। ୱାର୍ଣ୍ଣର ୫୮ଟି ବଲ୍ରେ ଅପରାଜିତ ୯୨ ରନ୍ର ଇନିଂସ୍ ଖେଳିଛନ୍ତି। ସେ ୧୨ଟି ଚୌକା ଓ ୩ଟି ଛକା ମାରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ସେନ ଆବୋଟ୍ଟ ଓ ଶ୍ରେୟସ ଗୋପାଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
୨୦୮ ରନର ବିଶାଳ ଲକ୍ଷ୍ୟକୁ ହାସଲ କରିବାକୁ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ପ୍ରାରମ୍ଭିକ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ ୱିକେଟ ହରାଇ ୧୮୬ ରନ କରିଥିଲା। ଆଡେନ ମାରକ୍ରମ, ନିକୋଲାସ ପୂରନଙ୍କୁ ଛାଡି ଅନ୍ୟ କୌଣସ ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ନିକୋଲାସ ପୂରନ ୬୨ ରନ କରିଥିବା ବେଳେ ଆଡେନ ମାରକ୍ରମ ୪୨ ରନ କରି ଆଉଟ ହୋଇଥିଲେ। ଖଲିଲ ଅହମ୍ମଦ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୪ ଓଭରରେ ୩୦ ରନ ଦେଇ ସର୍ବାଧିକ ୩ଟି ୱିକେଟ ହାସଲ ନେଇଥିଲେ।
