ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର
ଖୋର୍ଦ୍ଧା: ପୁଣି ଚିଲିକାରେ ଡଙ୍ଗା ବୁଡି । ଫଳରେ ଜଣେ ନିଖୋଜ ହୋଇଥିବାବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ବାଲେଶ୍ୱର ରେମୁଣା ଅଂଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ଫେରିବାବେଳେ ଚିଲିକାର ଚଡେଇଗୁଆ ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା । ଏହି ଟୁରିଷ୍ଟ ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା । ପର୍ଯ୍ୟଟକ ମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ ପବନ ଓ ବର୍ଷା ହୋଇଥିଲା । ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା ।
କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଗୁରୁବାର ଚିଲିକାରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଡଙ୍ଗାରେ ମୋଟ ୧୨ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ସେମାନେ ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳର । ଅନ୍ୟ ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବିକ ଓ ଅନ୍ୟ ଦୁଇ ଜଣ ବାଲୁଗାଁ ଅଂଚଳର ଲୋକ । ବାଲୁଗାଁ ଅଂଚଳର ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କାଳିଜାଈରେ ଏକ ଦୋକାନରେ କାମ କରନ୍ତି । ସେ ନିଖୋଜ ଅଛନ୍ତି । ତାଙ୍କ ନାଁ ରାଜେନ୍ଦ୍ର ଖୁଂଟିଆ ବୋଲି ଜଣାପଡ଼ିଛି । ତାଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ଟୁରିଷ୍ଟ ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା । ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ କାଳବୈଶାଖୀ ପବନ ଓ ବର୍ଷା ହୋଇଥିଲା । ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା । ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ । ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ । ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ୍ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲା । ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତି କରାଯାଇଛି । ସେମାନେ ସମସ୍ତେ ସୁସ୍ଥ ଅଛନ୍ତି । ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି, ଆମେ କାମରେ ବରକୁଳ ପାନ୍ଥ ନିବାସକୁ ଯାଇଥିଲୁ । ସେଠାରେ ଥିବା ବେଳେ ହଠାତ୍ ଖବର ଆସିଲେ ଯେ ପର୍ଯ୍ୟଟକଙ୍କୁ ନେଇ କାଳିଜାଈରୁ ଫେରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଆମେ ଓଟିଡିସିର କିଛି କର୍ମଚାରୀଙ୍କୁ ନେଇ ସେଠାରେ ପହଂଚିଥିଲୁ । ୧୧ ଜଣ ସେଠାରେ ଭାସୁଥିଲେ । ଆମେ ସେମାନଙ୍କୁ ଉଦ୍ଧାର କରିଥିଲୁ ।
