ଆଇପିଏଲ୍-୨୦୨୨ : ଟସ ଜିତି ଦିଲ୍ଲୀ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ
ମୁମ୍ବାଇ: ଆଇପିଏଲ୍-୨୦୨୨ର ୫୦ତମ ଲିଗ୍ ମୁକାବିଲାରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଜରୁରୀ ହୋଇ ପଡ଼ିଥିବାରୁ ଏହି ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ମୁକାବିଲାରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଛି। ସନରାଇଜର୍ସ ହାଇଦ୍ରାବାଦରେ ତିନୋଟି ପରିବର୍ତ୍ତନ ଘଟିଛି। ସେହିପରି ଚାରୋଟି ପରିବର୍ତ୍ତନ ସହ ଦିଲ୍ଲୀ କ୍ୟାପିଟାଲ୍ସ ମଇଦାନକୁ ଓହ୍ଲାଉଛି।
କ୍ୟାପିଟାଲ୍ସ ଦଳ ଇତି ମଧ୍ୟରେ ୯ଟି ମ୍ୟାଚ୍ ଖେଳି ୪ ବିଜୟ ସହ ୯ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ କ୍ୟାପିଟାଲ୍ସ ସପ୍ତମ ସ୍ଥାନରେ ରହିଛି । ଦଳର ରନ୍ ରେଟ୍ ସର୍ବାଧିକ ୦.୫୮୭ ରହିଛି । ଆଜିର ମ୍ୟାଚ୍ ଜିତିଲେ ଦଳ ସିଧା ସଳଖ ଚତୁର୍ଥ ସ୍ଥାନ ଅକ୍ତିଆର କରି ପାରିବ। ସେହିପରି ସନରାଇଜର୍ସ ମଧ୍ୟ ୯ଟି ମ୍ୟାଚ୍ ଖେଳି ୫ ବିଜୟ ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ସନରାଇଜର୍ସ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ମ୍ୟାଚ୍ ବିଜୟୀ ହେଲେ ଦଳ ଚତୁର୍ଥକୁ ଉନ୍ନୀତ ହେବ । ଚଳିତ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବାକୁ ଯାଉଛନ୍ତି। ତେଣୁ ଏହି ମ୍ୟାଚ୍ ଜିତିବା ପାଇଁ ହେଲେ ଉଭୟ ଦଳକୁ ଉନ୍ନତ ରଣନୀତି ସହ ପୂର୍ବ ତ୍ରୁଟି ସୁଧାରିବାକୁ ହେବ । ଦିଲ୍ଳୀ କ୍ୟାପିଟାଲ୍ସ ଗତ ସିଜନରେ ଉଭୟ ମ୍ୟାଚ୍ ଜିତିଥିଲା । ଏଥର ସନରାଇଜର୍ସ ପଲା ଭାରି ଜଣା ପଡ଼ୁଛି । କ୍ୟାପିଟାଲ୍ସ ତୁଳନାରେ ସନରାଇଜର୍ସ ଦଳ ଅଧିକ ଶୃଙ୍ଖଳିତ । ଦଳର ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ । ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଛୋଟ ମୋଟ ତ୍ରୁଟି ଯୋଗୁ ସନରାଇଜର୍ସ ଶେଷ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିଲା । କ୍ୟାପିଟାଲ୍ସ ଦଳ ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରିପାରୁ ନାହିଁ । ବିଶେଷ କରି ମଧ୍ୟକ୍ରମ ବ୍ୟାଟିଂ ବିଭାଗର ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ବୋଲିଂ ବିଭାଗ ସନ୍ତୁଳିତ ରହିଥିଲେ ହେଁ ଡେଥ୍ ଓଭର ଗୁଡ଼ିକରେ ଅଧିକ ରନ ଅପଚୟ କରୁଛି । ମ୍ୟାଚ୍ରେ ଏହି ସବୁ ତ୍ରୁଟି ସୁଧାରିବାକୁ ହେବ । ପ୍ଲେ ଅଫ୍ରେ ପ୍ରବେଶ କରିବାକୁ ହେଲେ ଅତି କମ୍ରେ ୪ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ରିଷଭ ପନ୍ତଙ୍କ ଉପରେ ନଜର ରହିବ । ତାଙ୍କ ବ୍ୟାଟ୍ରୁ ଏକ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଦୀର୍ଘ ଦିନ ହେଲା ଅପେକ୍ଷା କରି ରହିଛନ୍ତି । ସନରାଇଜର୍ସ ପକ୍ଷରୁ ପେସ ବୋଲର ଉମ୍ରାନ ମଲିକ ଘାତକ ସାବ୍ୟସ୍ତ ହେବେ ।
ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ୍ ୱାର୍ଣ୍ଣର, ମନଦୀପ ସିଂହ, ମିଚେଲ ମାର୍ଶ, ରିଷଭ ପନ୍ତ (ଅଧିନାୟକ), ଲଳିତ ଯାଦବ, ରୋଭମାନ ପାୱେଲ୍, ରିପଲ ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, ଅନରିଚ ନୋର୍ଖେ।
ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, କେନ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୂରନ, ଶଶାଙ୍କ ସିଂହ, ଶ୍ରେୟସ ଗୋପାଲ, ଭୁବନେଶ୍ୱର କୁମାର, ସିନ ଏବୋଟ, ଉମ୍ରାନ ମଲିକ, କାର୍ତ୍ତିକ ତ୍ୟାଗୀ।
