ଆଇପିଏଲ ପ୍ଲେ ଅଫରୁ ବାଦ ପଡିଲା ଚେନ୍ନାଇ ସୁପରକିଙ୍ଗ୍ସ
ପୁଣେ : ଆଉ କିଛି ସମ୍ଭବ ନୁହେଁ । ମଉଳିଲା ପ୍ଲେ ଅଫ ଆଶା । ଆଇପିଏଲର ସବୁଠୁ ଶକ୍ତିଶାଳୀ ତଥା ୪ଥର ଟାଇଟଲ ହାତେଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଚଳିତ ଆଇପିଏଲ ପ୍ଲେ ଅଫରୁ ବାଦ ପଡିଛି । ୪୯ତମ ମ୍ୟାଚରେ ଚେନ୍ନାଇକୁ ୧୩ ରନରେ ପରାସ୍ତ କରିଛି ବାଙ୍ଗାଲୋର । ଲାଗାତାର ୩ଟି ମ୍ୟାଚ ହାରିବା ପରେ ପୁଣି ଟ୍ରାକକୁ ଫେରିଛି ବାଙ୍ଗାଲୋର । ବିଜୟ ସହ ପଏଣ୍ଟ ଟେବୁଲ ୪ର୍ଥ ସ୍ଥାନକୁ ଉଠିଛି ବାଙ୍ଗାଲୋର । ୩ ୱିକେଟ ହାସଲ କରି ଦର୍ଷଲ ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ସୁପରକିଙ୍ଗ୍ସ ସୁପର ବୋଲିଂ ସତ୍ତ୍ବେ ୧୭୪ ରନର ଟାର୍ଗେଟ ଦେଇଥିଲା ରୟାଲ ଟିମ୍ । ବାଙ୍ଗାଲୋରର ମହିପାଲ ଲୋମରର ସର୍ବାଧିକ ୨୭ ରନ୍ କରି ଥିବାବେଳେ ଅଧିନାୟକ ଡୁପ୍ଲେସିସ ୨୨ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ବିରାଟ କୋହଲିଙ୍କ ଉପରେ ଆଶା ରଖିଥିଲା ଦଳ, କିନ୍ତୁ ସେ ମଧ୍ୟ ୩୦ ରନରେ ମୋଇନ ଅଲିଙ୍କ ଶିକାର ହୋଇଥିଲେ । ୬୨ ରନରେ କୌଣସି ବି ୱିକେଟ ହରାଇ ନ ଥିବା ବାଙ୍ଗାଲୋର ୭୯ ରନରେ ୩ ମୂଲ୍ୟବାନ ୱିକେଟ ହରାଇଥିଲା । ଏହାପରେ ସ୍ଥିତି ସମ୍ଭାଳି ଥିଲେ ରଜତ ପଟିଦାର ଏବଂ ମହିପାଲ । ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ଦଳୀୟ ସ୍କୋର ୧୨୩ରେ ପହଞ୍ଚିଥିଲା । ପଟିଦାର ୨୧ ରନ କରି ପ୍ରେଟୋରିୟସଙ୍କ ଶିକାର ହୋଇଥିଲେ । ଏହାପରେ ଦିନେଶ କାର୍ତ୍ତିକ ଏବଂ ମହିପାଲ ଦଳକୁ ଶକ୍ତି ଯୋଗାଇଥିଲେ । କିନ୍ତୁ ୧୯ତମ ଓଭରରେ ଥିକସାନାଙ୍କ ଶିକାର ହୋଇଥିଲେ ମହିପାଲ । ପରେ ପରେ ହସରଙ୍ଗା ଓ ଶାହବାଜ ମଧ୍ୟ ଆଉଟ ହୋଇ ଯାଇଥିଲେ । ଶେଷ ଓଭରରେ ଦିନେଶ କାର୍ତ୍ତିକଙ୍କ ଦମଦାର୍ ସର୍ଟ୍ସ ଦଳୀୟ ରନକୁ ୧୭୩ରେ ପହଞ୍ଚାଇଥିଲେ । ସେପଟେ ଚେନ୍ନାଇର ଥକସାନାଙ୍କୁ ସର୍ବାଧିକ ୩ଟି ୱିକେଟ ମିଳି ଥିବାବେଳେ ମୋଇନ ଅଲି ୨ଟି ଏବଂ ପ୍ରିଟୋରିୟସ 1 ୱିକେଟ ନେଇଛନ୍ତି । ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ ରହିଥିଲା ।
୧୭୪ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ଦୁଇ ଓପନର ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେ ପ୍ରଥମ ୱିକେଟରେ ୫୪ ରନ କରିଥିଲେ । ଗାଏକ୍ବାର୍ଡ ୨୮ ରନ କରି ଆଉଟ ହେବା ପରେ ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ରବିନ ଉଥପ୍ପା ୧, ଅମ୍ବତି ରାୟୁଡୁ ୧୦ ରନ କରି ଆଉଟ ହୋଇଥିଲେ । କନୱେ ଲଢୁଆ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୧୦୯ ବେଳକୁ କନୱେ ୫୬ ରନ କରି ଆଉଟ ହୋଇଥିଲେ । ବାଙ୍ଗାଲୋରର ହସରଙ୍ଗା ବାଜି ପଲଟାଇ ଦେଇଥିଲେ । କନୱେଙ୍କ ପରେ ସୁପରକିଙ୍ଗ୍ସକୁ ଜିତିବାକୁ ୩୫ଟି ବଲରେ ୬୫ ରନ ଦରକାର ଥିଲା । ହେଲେ ବାଙ୍ଗାଲୋର ବୋଲରଙ୍କ ଆଗରେ କେହି ତିଷ୍ଠି ପାରି ନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ମୋଇନ ୩୪, ଜାଡେଜା ୩, ଧୋନି ୨ ରନ କରି ଆଉଟ ହୋଇଥିଲେ । ଶେଷରେ ୭ ୱିକେଟ ହରାଇ ଦଳ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇର ସପ୍ତମ ପରାଜୟ ହୋଇଛି ।
