୫ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା ଖୋଲା କୂଅରେ ପଡିଥିବା ହାତୀ ଛୁଆ
ବୈରୀ : ଜନବସତି ମୁହାଁ ହେଉଛି ଜଙ୍ଗଲି ହାତୀ। କେତେବେଳେ ମାରୁଛି ତ, କେତେବେଳେ ମରୁଛି। ହାତୀଙ୍କ ସୁରକ୍ଷା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଗତ କିଛି ମାସେ ହେବ ଯାଜପୁର ଜିଲା ବୈରୀ ବନାଞ୍ଚଳ ଅଧିନସ୍ଥ ସମିଆଁ ପଞ୍ଚାୟତ ଦେହୁରିଗଡା ଗ୍ରାମ ନିକଟରେ ଥିବା କଳି ପାହାଡ଼ରେ ହାତୀ ପଲ ରହି ସନ୍ଧ୍ୟାରେ ଗ୍ରାମ ମଧ୍ୟକୁ ପ୍ରବେଶ କରି ଗ୍ରାମରେ ବୁଲି ଘର ଭାଙ୍ଗିବା ସହ ବହୁ ଧନ ସମ୍ପତ୍ତି ନଷ୍ଟ କରିବା, ଲାଇନ୍ ଖୁଣ୍ଟି ଭାଙ୍ଗିବା, ଗ୍ରାମବାସୀଙ୍କୁ ଆକ୍ରମଣ କରିବା ଓ ଡାଳୁଅ ଧାନ ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ଏହା ଜାଣି କେବଳ ଜଙ୍ଗଲ ମଧ୍ୟକୁ ଘଉଡାଇବାରେ କାର୍ୟ୍ୟ ସାରି ଦେଇ ବସିଥିଲା । ବୁଧବାର ସନ୍ଧ୍ୟାରେ ମା’ ସହ ଛୁଆ ହାତୀ ଜଙ୍ଗଲରୁ ଗ୍ରାମ ମଧ୍ୟକୁ ପ୍ରବେଶ କରି ଗ୍ରାମରେ ବୁଲୁଥିବାର ଦେଖି ଗ୍ରାମବାସୀମାନେ ଭୟଭିତ ଅବସ୍ଥାରେ ରହିଥିଲେ । ରାତ୍ରି ୧୦ ସମୟରେ ଗ୍ରାମର ଏକ ମୁକୁଳା କୂପରେ ଏକ ହାତୀ ଛୁଆ ପଡିଥିବାର ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ କର୍ମଚାରୀମାନେ ପହଞ୍ଚି ଜେସିବି ସାହାଯ୍ୟରେ କୁଅକୁ ଖୋଳି ହାତୀ ଛୁଆକୁ ଦୀର୍ଘ ୫ଘଣ୍ଟା ପରିଶ୍ରମ କରି ଉଦ୍ଧାର କରିଥିଲେ। ବନ ବିଭାଗର ଦାୟିତ୍ୱ ହିନତା ପାଇଁ ଏପରି ଘଟଣା ଘଟୁଥିଛି ।
