ଦେଶରେ ବଢୁଛି କରୋନା : ଆଉ ୩,୨୭୫ ମାମଲା ଓ ୫୫ ମୃତ
ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୩,୨୭୫ ନୂଆ ମାମଲା ପଞ୍ଜିକୃତ ହୋଇଛି। ଯାହା ଗତକାଲି ତୁଳନାରେ ୨.୧ ପ୍ରତିଶତ ଅଧିକ । କୋଭିଡ୍-୧୯ ଯୋଗୁଁ ଦିନକରେ ଆଉ ୫୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୫୨୩,୯୭୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୦୧୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୨୫,୪୭,୬୯୯ କୁ ବୃଦ୍ଧି ପାଇଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୧,୮୯,୬୩,୩୦,୩୬୨ ଲୋକଙ୍କ ଟିକାକରଣ କରାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, କରୋନାର ଦୈନିକ ପଜିଟିଭ୍ ହାର ୧.୦୭ ରହିଥିବା ବେଳେ ସାପ୍ତାହିତ ପଜିଟିଭ୍ ହାର ରହିଛି ୦.୭୦ ପ୍ରତିଶତ। ଦେଶରେ ଦିନକରେ ୩୦୦୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୪୭ ହଜାର ୬୯୯ରେ ପହଞ୍ଚିଛି। ଗତକାଲି ବି ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩ ହାଜର ଉପରେ ରହିଥିଲା। ଗତ ୬ ଦିନ ହେବ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ରହୁଥିବା ବେଳେ ମଙ୍ଗଳବାର ୧୮.୭% ହ୍ରାସ ପାଇ ଅଢ଼େଇ ହଜାରରୁ ସାମାନ୍ୟ ଅଧିକ ଥିଲା। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ରୋଗ ସୃଷ୍ଟିକାରୀ ସାର୍ସ-କୋଭ୍-୨ ଭୂତାଣୁ ହେଉଛି ବାୟୁବାହିତ। ଯଦି ଗୋଟିଏ ପ୍ରକୋଷ୍ଠରେ ଦୁଇ ବା ଅଧିକ କୋଭିଡ୍-୧୯ ରୋଗୀ ଥାନ୍ତି ତେବେ ବାୟୁରେ ଥିବା ଭୂତାଣୁଙ୍କ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ। ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍ବି), ହାଇଦ୍ରାବାଦ ଏବଂ ସିଏସ୍ଆଇଆର୍-ଆଇଏମ୍ଟେକ୍, ଚଣ୍ଡୀଗଡ଼ ପକ୍ଷରୁ କରାଯାଇଥିବା ଅନୁଧ୍ୟାନର ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି।
