ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଡେନମାର୍କରେ ବୁଧବାର ଚାଲିଥିବା ୨ୟ ଭାରତ-ନର୍ଡ଼ିକ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ କରୋନା ପରବର୍ତୀ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ ପରିବର୍ତନ, ଅକ୍ଷୟ ଶକ୍ତି ଏବଂ ଆଂଚଳିକ ତଥା ଆନ୍ତର୍ଜାତୀୟ ସୁରକ୍ଷା ଦୃଷ୍ଟିକୋଣ ଉପରେ ଆଲୋଚନା କରାଯାଇଥିଲା । ୨ୟ ଭାରତ-ନର୍ଡ଼ିକ୍ ସମ୍ମିଳନୀରେ ନର୍ଡ଼ିକ୍ ଦେଶର ନେତାମାନେ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡେରିକସେନ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର, ସ୍ୱିଡେନର ପ୍ରଧାନମନ୍ତ୍ରୀ ମାଗଡ଼ାଲେନା ଆଣ୍ଡର୍ସେନ୍ ଏବଂ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଯୋଗ ଦେଇଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଚରୋଟି ନର୍ଡ଼ିକ୍ ଦେଶର ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଡେନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଏବଂ ସ୍ୱୀଡେନର ନେତା ଏକାଠି ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହି ନେତାଙ୍କ ସହ ଫଟୋ ଉଠାଇଥିଲେ । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରନ୍ଦମ ବାଗଚୀ ଟ୍ୱିଟ୍ କରି ସେହି ଫଟୋକୁ ସେୟାର କରିଛନ୍ତି ।
ଡେନମାର୍କରେ କାର୍ଯ୍ୟକ୍ରମ ସାରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଗସ୍ତର ଶେଷ ଦିନରେ ସେ ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ । ପରେ ଆଜି ସେ ଭାରତ ଫେରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଗତକାଲି ସେ ଡେନମାର୍କରେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କଙ୍କ ସହ ଏକଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଜି ସେ ପ୍ୟାରିସ ଅଭିମୁଖେ ବାହାରିବା ପୂର୍ବରୁ ୪ ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ୱିଡେନର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଡେନମାର୍କ ଗସ୍ତ ଭାରତ ଓ ପଡୋଶୀ ଦେଶମାନଙ୍କ ପାଇଁ ବେଶ ଫଳପ୍ରଦ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମଗୁଡିକ କୂଟନୈତିକ ସମ୍ପର୍କରୁ ଆରମ୍ଭ କରି ସାଂସ୍କୃତିକ ତଥା ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ତେବେ ଆଜି ରାତିରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଂଚିବା ପରେ ସେଠାରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ସାକ୍ଷାତ କରିବେ । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଜର୍ମାନୀ ରାଜଧାନୀ ବର୍ଲିନରେ ପହଂଚିିଥିଲେ । ସେଠାରେ ସେ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ପ୍ରବାସୀ ଭାରତୀୟଙ୍କ ସମୂଦାୟକୁ ମଧ୍ୟ ସମ୍ବୋଧିତ କରିଥିଲେ ।
