ରେପୋ ରେଟ୍ ବଢ଼ାଇଲା ରିଜର୍ଭ ବ୍ୟାଙ୍କ, ମହଙ୍ଗା ହୋଇପାରେ ଋଣ
ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରିଛି । ରେପୋ ରେଟ୍ ଋ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇଛି ଆରବିଆଇ । ଆରବିଆଇର ଏହି ନିଷ୍ପତ୍ତି ପଛରେ ଥିବା ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ହ୍ରାସ କରିବା । ଆରବିଆଇର ଏହି ନିଷ୍ପତ୍ତି ସହିତ ବର୍ତ୍ତମାନ ରେପୋ ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି | ଆରବିଆଇର ଏହି ନିଷ୍ପତ୍ତି ପରେ ଋଣ ମହଙ୍ଗା ହୋଇପାରେ ।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମାର୍ଚ୍ଚ ୨୦୨୨ ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୭% କୁ ବୃଦ୍ଧି ପାଇଛି ଯାହା କେନ୍ଦ୍ରୀୟ ବ୍ୟାଙ୍କର ସର୍ବୋଚ୍ଚ ସୀମା ଅତିକ୍ରମ କରିଛି। ବିଶେଷ ଭାବେ ଖାଦ୍ୟ ମୁଦ୍ରାସ୍ଫୀତି ମୁଖ୍ୟ ମୁଦ୍ରାସ୍ଫୀତି ହାର ଉପରେ ପ୍ରଭାବ ପକାଇଛି । ସେ କହିଛନ୍ତି ଯେ ମାର୍ଚ୍ଚରେ ଖାଦ୍ୟ ସମୂହର ୧୨ ଟି ଉପ ସମୂହର ମୁଦ୍ରାସ୍ଫୀତୀ ବୃଦ୍ଧି ପାଇଛି। ଏପ୍ରିଲ୍ ର ସୂଚନାରୁ ମଧ୍ୟ ଜଣାପଡିଛି ଯେ ଏହି ମୁଦ୍ରାସ୍ଫୀତିର ଚାପ ଆଗାମୀ ଦିନରେ ଜାରି ରହିବ ।
ସୂଚନା ଯେ, ଗତ ଏପ୍ରିଲ ୮ ତାରିଖ ଦିନ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମନିଟାରୀ ପଲିସି କମିଟି (ଏମପିସି) ବୈଠକ ହୋଇଥିଲା। ଏହି ସମୀକ୍ଷା ବୈଠକରେ ଆରବିଆଇ ରେକର୍ଡ ୧୧ ଥର ମଧ୍ୟ ରେପୋ ଓ ରିଭର୍ସ ରେପୋ ହାର ଅପରବର୍ତ୍ତିତ ରଖିଥିଲେ। ତେବେ ବଦଳୁଥିବା ପରିସ୍ଥିତିରେ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ସଂକେତ ଦେଇଥିଲେ। ସେତେବେଳେ ଆରବିଆଇ ଗଭର୍ଣ୍ଣର ମୁଦ୍ରାସ୍ପିତି (ଇନଫ୍ଲେସନ)କୁ କୌଣସି ବଡ ରିସ୍କ ନୁହେଁ, କାରଣ କେନ୍ଦ୍ରୀୟ ବ୍ୟାଙ୍କ ଇକୋନମିକ ଗ୍ରୋଥ ଉପରେ ଫୋକସ କରୁଥିବା କହିଥିଲେ। ଏଣୁ ରେପୋ ହାର ବୃଦ୍ଧି ହୋଇଥିବାରୁ ଏବେ ମୂଲ୍ୟ ବୃଦ୍ଧିରୁ ହୁଏତ ଆଉ ନିସ୍ତାର ମିଳିବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ଏଣୁ ଚଳିତ ଆର୍ଥିକ ବର୍ଷରେ ମୂଲ୍ୟ ବୃଦ୍ଧିର ଚାପ ଲଗାତାର ରହିବ ବୋଲି ଅନୁମାନ କରାଯାଉଛି। ଆରବିଆଇଙ୍କ ଅନୁମାନ ଅନୁସାରେ ଜାରି ଆର୍ଥିକ ବର୍ଷରେ ମୁଦ୍ରାସ୍ପିତି ହାର ୫.୭ ପ୍ରତିଶତ ରହିପାରେ। ଆରବିଆଇ ଗଭର୍ଣ୍ଣର ପୂର୍ବରୁ ପ୍ରଥମ ତ୍ରୈମାସିକର ମୁଦ୍ରାସ୍ପିତି ହାର ୬.୩ ପ୍ରତିଶତ ଥିବା ବେଳେ ଦ୍ୱିତୀୟ ତ୍ରୈମାସିକରେ ୫ ପ୍ରତିଶତ, ତୃତୀୟ ତ୍ରୈମାସିକରେ ୫.୪ ଓ ଚତୁର୍ଥ ତ୍ରୈମାସିକରେ ୫.୧ ପ୍ରତିଶତ ରହିପାରେ ବୋଲି ଆକଳନ କରିଥିଲେ।
