ପୁରୀରେ ଅନୁକୂଳ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଯାଇଛି । ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି । ତିନି ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଛି । ଅପରାହ୍ଣ ପ୍ରାୟ ୪ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି । ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ବେଦଜ୍ଞ ବ୍ରାହ୍ମଣମାନେ ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଛନ୍ତି । ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯାଇଛି । ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଅଜ୍ଞାମାଳ ବିଜେ ପରେ ଛାମୁଣ୍ଡିଆ ଭିତରେ ରହିଥିବା ତିନି ରଥକାଠରେ ଲାଗି ହୋଇଛି । ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନି ଅସନ କାଠକୁ ଚୋଟ ମାରିବା ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହି ଅନୁଯାୟୀ ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା ।
ରଥ ସଂହିତା ଅନୁଯାୟୀ, ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ ଅନୁକୂଳ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ପରେ ରଥ ନିର୍ମାଣ କାମ ଆରମ୍ଭ ହେବ । ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ । ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ଓ ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବ ।
