ଆଜି ବିଶ୍ୱ ଶ୍ରମିକ ଦିବସ ! ଜାଣନ୍ତୁ କେବେଠୁ ଓ କାହିଁକି ପାଳନ ହେଉଛି ଏହି ଦିବସ
ଆଜି ମେ ଡେ ବା ବିଶ୍ୱ ଶ୍ରମିକ ଦିବସ। ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଆଜି ଦିନଟି ଉତ୍ସର୍ଗୀକୃତ। ବିଶ୍ୱ ଯଦି ବିକାଶର ଚରମ ସୀମାରେ ପହଞ୍ଚିଥାଏ, ତେବେ ତାହା ପଛରେ ମୁଖ୍ୟ ନାୟକ ହେଉଛନ୍ତି ଶ୍ରମିକ। ଶ୍ରମିକର ଝାଳବୁହା ପରିଶ୍ରମ ବଳରେ ହିଁ ଉନ୍ନତିର ରାସ୍ତା ଗଢାହୋଇଥାଏ। ଶ୍ରମିକ ବିନା ବିକାଶର ପରିକଳ୍ପନା କରିବା ଗୋଟିଏ ରାଷ୍ଟ୍ର ପାଇଁ ଅସମ୍ଭବ ହୋଇପଡ଼େ ।
ସମୟ ଥିଲା ପୂର୍ବରୁ ପୁଞ୍ଜିବାଦୀ ମାଲିକମାନଙ୍କ ନିକଟରେ କାମ କରୁଥିଲେ ଶ୍ରମିକ। ଧୀରେ ଧୀରେ ଶ୍ରମିକଙ୍କ ପ୍ରତି ମାଲିକଙ୍କ ନିର୍ଯାତନା ବଢୁଥିଲା। ତେବେ ଶ୍ରମିକମାନେ ମାଲିକମାନଙ୍କ ଶୋଷଣରେ ଅତିଷ୍ଠ ହୋଇପଡିଥିଲେ। ବିଭିନ୍ନ କଳକାରଖାନାରେ ସେମାନଙ୍କୁ ନିର୍ଯାତନା ଓ ଅତ୍ୟାଚାର କରାଯାଉଥିଲା। ସେତେବେଳେ ମାଲିକମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସେମାନଙ୍କ ପକ୍ଷେ ସହଜ ନ ଥିଲା। କିନ୍ତୁ ଦୈନିକ ୮ ଘଣ୍ଟାର କର୍ମ ନିର୍ଘଣ୍ଟ ପାଇଁ ଶ୍ରମିକମାନେ ଏକଜୁଟ ହୋଇ ଦାବି କରିଥିଲେ।
ଦାବି କ୍ରମେ ଆନ୍ଦୋଳନର ରୂପ ନେଇଥିଲା। ଫଳରେ ମାଲିକମାନଙ୍କର ଦମନଲୀଳାର ଶିକାର ହୋଇ ଶତାଧିକ ଶ୍ରମିକଙ୍କ ଜୀବନ ମଧ୍ୟ ଯାଇଥିଲା। ରାସ୍ତାଘାଟ ସଂଗ୍ରାମୀ ଶ୍ରମିକଙ୍କ ରକ୍ତରେ ଲାଲ୍ ହୋଇଉଠିଥିଲା। ଦୀର୍ଘଦିନ ଆନ୍ଦୋଳନ ପରେ ଶେଷରେ ମାଲିକମାନେ ଶ୍ରମିକମାନଙ୍କର ଦାବି ମାନିବାକୁ ବାଧ୍ୟ ହୋଇଥିଲେ। ତେଣୁ ସାରା ବିଶ୍ୱରେ ମେ ପହିଲାରେ ପାଳିତ ହେଉଛି, ମେ ଦିବସ ବା ଅନ୍ତର୍ଜାତୀୟ ଶ୍ରମିକ ଦିବସ।
ଯଦି କୁହାଯାଏ ଯେ ବିଶ୍ୱ ଚଳାଇବାରେ ମୁଖ୍ୟ ଭୂମିକା ହେଉଛି ଶ୍ରମିକଙ୍କର, ତେବେ ଏହା ଭୁଲ୍ ହେବ ନାହିଁ। ସେହି ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ‘ ୧କୁ ବିଶ୍ୱ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆମ ଦେଶରେ ପ୍ରଥମ ଥର ପାଇଁ ୧୯୨୩ରେ ହିନ୍ଦୁସ୍ତାନ କିଷାନ ପାର୍ଟି ମାଡ୍ରାସରେ ଏହି ଦିବସ ପାଳନ କରିଥିଲା। ଏବେ ପ୍ରାୟ ବିଶ୍ୱର ୮୦ରୁ ଅଧିକ ଦେଶ ଏହି ଦିବସ ପାଳନ କରୁଛନ୍ତି। ତେବେ ଆପଣ ଜାଣନ୍ତି କି କେବେଠୁ ଓ କାହିଁକି ଏହି ଦିବସ ପାଳନ ହେଉଛି?
୧୮୮୬ ରେ ଆମେରିକାର ଚିକାଗୋରେ ବିଶ୍ୱ ଶ୍ରମିକ ଦିବସ ଆରମ୍ଭ ହୋଇଥିଲା। ପୂର୍ବରୁ ଶ୍ରମିକମାନଙ୍କ କାମ କରିବାର କିଛି ସମୟସୀମା ନଥିଲା। ସେଥିପାଇଁ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଦାରଣ କରିବା ପାଇଁ ଏକ ଆନ୍ଦୋଳନ କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ଲକ୍ଷ ଲକ୍ଷ ଶ୍ରମିକ ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସ୍ରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ଦିବସ ପାଳନ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା।
ଏହାପରେ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରିବା ଆରମ୍ଭ ହୋଇଥିଲା | ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା | ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା | ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି |
