ଆଇପିଏଲ୍-୨୦୨୨ : ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇ ପ୍ଲେଅଫର ନିକଟତର ଗୁଜରାଟ
ମୁମ୍ବାଇ: ଆଇପିଏଲ୍-୨୦୨୨ରେ ଗୁଜରାଟ ଟାଇଟନ୍ସର ବିଜୟ ଯାତ୍ରା ଅବ୍ୟାହତ ରହିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ୪୩ତମ ମୁକାବିଲାରେ ଗୁଜରାଟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ଦଳ ନଅଟି ମ୍ୟାଚରୁ ୮ ବିଜୟ ସହ ୧୬ ପଏଣ୍ଟ ହାସଲ କରିଛି। ଏଥିସହ ଗୁଜରାଟ ପ୍ଲେ ଅଫର ନିକଟତର ହୋଇଛି। ଅନ୍ୟପଟେ ପଞ୍ଚମ ପରାଜୟ ଭୋଗି ପ୍ଲେ ଅଫ ଦୌଡ ପାଇଁ ନିଜ ମାର୍ଗକୁ ମୁସ୍କିଲ କରିଛି ବେଙ୍ଗାଲୁରୁ। ଗୁଜରାଟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଡେଭିଡ୍ ମିଲର ଏବଂ ରାହୁଲ ତେଓ୍ଵତିଆ। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ବିରାଟ କୋହଲିଙ୍କ ୫୮ ରନ ଏବଂ ରଜତ ପାଟିଦାର ୫୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିଲା। ଜବାବରେ ଗୁଜରାଟ ରାହୁଲ ତେଓ୍ଵତିଆଙ୍କ ଅପରାଜିତ ୪୩ ଏବଂ ଡେଭିଡ୍ ମିଲରଙ୍କ ଅପରାଜିତ ୩୯ ରନ ବଳରେ ୧୯.୩ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୭୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ବେଙ୍ଗାଲୁରୁ ପକ୍ଷରୁ ଶାହବାଜ ଅହମ୍ମଦ ଏବଂ ଓ୍ଵାନିନ୍ଦୁ ହସରଙ୍ଗା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳୀୟ ସ୍କୋର ୧୧ ରନରେ ଅଧିନାୟକ ଫାପ ଡୁପ୍ଲେସିସ୍(୦) ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କେହାଲି ଏବଂ ରଜତ ପାଟିଦାର ସ୍କୋରକୁ ଆଗକୁ ବଢାଇଥିଲେ। ଖରାପ ଫର୍ମକୁ ଦେଇ ସଂଘର୍ଷ କରୁଥିବା ବିରାଟ କୋହଲି ଧୈର୍ଯ୍ୟର ସହ ଦେଖିଚାହିଁ ବ୍ୟାଟିଂ କରିଥିଲେ। ଅନ୍ୟପଟେ ରଜତ ପାଟିଦାର ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୯୯ ରନ ଯୋଡି ସ୍ଥିତି ମଜବୁତ କରିଥିଲେ। ରଜତ ପାଟିଦାର ୩୨ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୨ ରନ କରିଥିଲେ। ଅନ୍ୟପଟେ କ୍ରମାଗତ ବିଫଳ ହେଉଥିବା କୋହଲି ଆଜିର ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଧିମା ବ୍ୟାଟିଂ କରି ୫୩ ବଲରୁ ୮ ଚୌକା ଏବଂ ୧ ଛକା ସହ ୫୮ ରନ କରିଥିଲେ। ଦିନେଶ କାର୍ତ୍ତିକ(୨) ବିଫଳ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ ଦ୍ରୁତ ବ୍ୟାଟିଂ କରି ୧୮ ବଲରୁ ୩ ଚୌକା ଏବଂ ୨ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ମନିପଲ ଲୋମରର ୧୬ ରନ କରିଥିଲେ। ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୦ ରନ କରିଥିଲା।
୧୭୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସକୁ ଦୁଇ ଓପନର ଶୁଭମାନ ଗିଲ୍ ଏବଂ ଋଦ୍ଧିମାନ ଶାହ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୭.୩ ଓଭରରେ ୫୧ ରନ ଯୋଡିଥିଲେ। ଶାହ ୨୨ ବଲରୁ ୪ ଚୌକା ସହ ୨୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗୁଜରାଟ ଶୀଘ୍ର ତିନୋଟି ଓ୍ଵିକେଟ୍ ହରାଇଥିଲା। ୬୮ ରନ ସ୍କୋରରେ ଶୁଭମାନ ଗିଲ୍ ଆଉଟ୍ ହୋଇଥିଲେ। ସେ ୨୮ ବଲରୁ ୩୧ ରନ କରିଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା(୩) ଆଉଟ୍ ହେବା ଗୁଜରାଟକୁ ଝଟକା ଲାଗିଥିଲା। ପୁଣି ସାଇ ସୁଦର୍ଶନ ୨୦ ରନ କରି ପାଭିଲିୟନ ଫେରିଥିଲେ। ୯୫ ରନରେ ୪ ଓ୍ଵିକେଟ୍ ହରାଇ ଚାପରେ ଥିଲା ଗୁଜରାଟ। ଏହା ପରେ ଡେଭିଡ୍ ମିଲର ଏବଂ ରାହୁଲ ତେଓ୍ଵତିଆ ଦଳର ଇନିଂସ ସମ୍ଭାଳିଥିଲେ। ଦୁହେଁ ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୭୯ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଡେଭିଡ୍ ମିଲର ୨୪ ବଲରୁ ୪ ଚୌକା ଓ ୧ ଛକା ସହ ୩୯ ରନ ଏବଂ ରାହୁଲ ତେଓ୍ଵତିଆ ୨୫ ବଲରୁ ୫ ଚୌକା ଏବଂ ୨ ଛକା ସହ ୪୩ ରନ କରି ଅପରାଜିତ ଥିଲେ।
