୩୫ ବର୍ଷରେ ରୋହିତ ଶର୍ମା, ହେବାକୁ ଚାହୁଁଥିଲେ ବୋଲର, କିନ୍ତୁ ହୋଇଗଲେ ହିଟମ୍ୟାନ
ବିଶ୍ୱର ଏକମାତ୍ର ଖେଳାଳି ଭାବେ ଦିନିକିଆରେ ଲଗାଇଛନ୍ତି ୩ଟି ଡବଲ୍ ସେଞ୍ଚୁରୀ
ନୂଆଦିଲ୍ଲୀ : ଭାରତର ବିସ୍ଫୋରକ ଓଫନର ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଆଜି ଜନ୍ମଦିନ । ସେ ଆଜି ୩୫ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲାରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ହିଟମ୍ୟାନ୍ ପ୍ରଥମେ ବୋଲର ହେବାକୁ ଚାହୁଁଥିଲେ। ତାଙ୍କ କୋଚ୍ ଦୀନେଶ ଲଡ ତାଙ୍କ ବ୍ୟାଟିଂ ଦେଖି ବ୍ୟାଟସମ୍ୟାନ୍ ହେବାକୁ ପରାମର୍ଶ ଦେଇଥିଲେ । ରୋହିତ ଶର୍ମା ତାଙ୍କର ବ୍ୟାଟିଂରେ କମାଲ କରି ହିଟମ୍ୟାନ୍ ରୂପେ ପରିଚିତ ହୋଇପାରିଛନ୍ତି। ରୋହିତଙ୍କ ଜନ୍ମଦିନ ଅବସରରେ ମୁମ୍ଵାଇ ଇଣ୍ଡିଆନ୍ସ ତାଙ୍କୁ ଟ୍ଵିଟ୍ କରି ଶୁଭେଚ୍ଚା ଜଣାଇଛି। ଏହି ଟ୍ଵିଟରେ ମୁମ୍ଵାଇ ଇଣ୍ଡିଆନ୍ସ ଲେଖିଛି ଯେ, ଯେତେବେଳେ ଯେଉଁଆଡେ ଯାଆନ୍ତି ଷ୍ଟେଜରେ ନିଆଁ ଲଗାଇ ଦିଅନ୍ତି। ସେ ହେଉଛନ୍ତି ରୋହିତ ଶର୍ମା। ଜନ୍ମଦିନର ଶୁଭେଚ୍ଛା କ୍ୟାପ୍ଟେନ। ସେହିପରି ତାଙ୍କର ବହୁତ ପ୍ରଶଂସକ ମଧ୍ୟ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ରୋହିତ ୨୦୦୭ରେ ରୋହିତ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ସେହି ବର୍ଷ ସେପ୍ଟେମ୍ଵରରେ ସେ ଟି-୨୦ ପାଦ ଦେଇଥିଲେ। ରୋହିତ ଶର୍ମା ୨୦୨୦ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ। ରୋହିତ ଶର୍ମା ଏଯାଏଁ ୨୨୭ଟି ଦିନିକିଆ ଖେଳି ୯୨୦୫ ରନ କରିଛନ୍ତି। ସେ ୨୯ଟି ଶତକ ଏବଂ ୪୩ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ୩୮ଟି ଟେଷ୍ଟ ମ୍ୟାଚରେ ୨୬୧୫ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ରହିଛି। ୧୧୧ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୨୮୬୪ ରନ୍ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି ।
୨୦୧୫ ଡିସେମ୍ବର ୧୩ରେ ରୋହିତ ଶର୍ମା ଓ ରିତିକା ସଜଦେହଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ତିନି ବର୍ଷ ପରେ ୨୦୧୮ ଡିସେମ୍ବର ୩୦ରେ ରୋହିତଙ୍କ ଏକ କନ୍ୟା ସନ୍ତାନ ହୋଇଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାରଣରୁ ସେ ତାଙ୍କ ପତ୍ନୀଙ୍କ ନିକଟରେ ଉପସ୍ଥିତ ହୋଇପାରି ନଥିଲେ।
ସ୍କୁଲର ଫିସ ଭରିବାକୁ ନଥିଲା ଟଙ୍କା :
ରୋହିତ ଶର୍ମାଙ୍କ ନେଟୱର୍ଥ ଆଜି ୧୫୦ କୋଟି ଟଙ୍କାରୁ ବି ଅଧିକ। କିନ୍ତୁ ଯେତେବେଳେ ସେ କ୍ରିକେଟ ଶିଖିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପରିବାର ପାଖରେ ତାଙ୍କ ସ୍କୁଲ ଫିସ ଦେବାପାଇଁ ମଧ୍ୟ ଟଙ୍କା ନଥିଲା। ରୋହିତ ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ। ସେ ଡଂମ୍ବୀବଲିର ବେଳାନକନି ହାଇ ସ୍କୁଲରେ ପଢିଥିଲେ। ଏହାପରେ ରୋହିତଙ୍କୁ ବୋରେବଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଡ଼ମିଶନ ପାଇଁ ପରମିଶନ ମିଳିଲା, ଯେଉଁଠି କ୍ରିକେଟର ଭଲ ଟ୍ରେନିଂ ମିଳୁଥିଲା। କିନ୍ତୁ ତାଙ୍କ ପରିବାର ପାଖରେ ସ୍କୁଲ ଫିସ ଦେବା ପାଇଁ ଟଙ୍କା ନଥିଲା। ରୋହିତଙ୍କ ଟ୍ୟାଲେଣ୍ଟ ଦେଖି ସ୍କୁଲ ତାଙ୍କ ପୂରା ଫିସକୁ ଛାଡ କରିଦେଇଥିଲେ।
ରୋହିତ ଟି-୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ :
ରୋହିତ ଶର୍ମା ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ କ୍ରିକେଟର ଅଟନ୍ତି। ବର୍ଷ ୨୦୦୬-୦୭ରେ ଟି୨୦ଫର୍ମାଟକୁ ଘରୋଇ କ୍ରିକେଟରେ ଅଣାଗଲା ଏବଂ ରୋହିତ ଶର୍ମା ଗୁଜରାଟ ବିପକ୍ଷରେ ୪୫ ବଲରେ ଶତକ ମାରିଥିଲେ। ଏଥିରେ ରୋହିତ ୪୫ ବଲରେ ୧୩ ଚଉକା ଏବଂ ୫ ଛକା ମାରିଥିଲେ।
ଅଣ୍ଡା ଏବଂ ଶୋଇବାର ସୌକିନ :
ଅଧିନାୟକ ବିରାଟ କୋହଲି ଖୁଲାସା କରିଥିଲେ ଯେ ରୋହିତ ଶର୍ମାଙ୍କୁ ଶୋଇବାକୁ ବହୁତ ଭଲ ଲାଗେ। ସେ ଦଳର ଖେଳାଳୀଙ୍କ ମଧ୍ୟରୁ ଅଧିକ ଶୁଅନ୍ତି। କେବଳ ଏତିକି ନୁହେଁ ରୋହିତଙ୍କୁ ଅଣ୍ଡା ବହୁତ ପସନ୍ଦ। ସେ ନିଜେ ଜଣାଇଥିଲେ ଯେ ଥରେ ସେ ଗୋଟେ ଦିନରେ ୪୫ଟା ଅଣ୍ଡା ଖାଇ ଦେଇଥିଲେ।
