ଆଇପିଏଲ୍-୨୦୨୨ : ପଞ୍ଜାବକୁ ୨୦ ରନରେ ହରାଇଲା ଲକ୍ଷ୍ନୌ
ପୁଣେ: ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଆଇପିଏଲର ୪୨ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପଞ୍ଜାବ କିଙ୍ଗ୍ସକୁ ୨୦ ରନରେ ପରାସ୍ତ କରିଛି। ଏଥିସହ ଲକ୍ଷ୍ନୌ ନବମ ମ୍ୟାଚରୁ ୬ଟି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ୪ରେ ନିଜର ସ୍ଥାନ ମଜବୁତ କରିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ନବମ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି। ଦଳର ପ୍ଲେ ଅଫରେ ପ୍ରବେଶ ପଥ ମୁସ୍କିଲ ହେବାରେ ଲାଗିଛି।
ପୁଣେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରୱାଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ରାବାଡା ନିଜର ପ୍ରଥମ ଓ ମ୍ୟାଚ୍ର ଦ୍ୱିତୀୟ ଓଭର୍ରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ(୬)ଙ୍କ ୱିକେଟ ଦଖଲ କରିଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ୍ଡା ଓପନର ଡି’କକଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୨ ଓଭର୍ ସୁଦ୍ଧା ଦଳୀୟ ସ୍କୋରକୁ ୯୮ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏହି ସମୟରେ ସନ୍ଦୀପ ଶର୍ମା ୪୬ ରନ୍ କରିଥିବା ଡି’କକଙ୍କୁ ଆଉଟ କରିଦେଇଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଲକ୍ଷ୍ନୌର ବିପର୍ଯ୍ୟୟ। ଡି’କକଙ୍କ ପରେ ଭଲ ଲୟରେ ଥିବା ଦୀପକ ହୁଡ୍ଡା(୩୪) ରନ୍ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା(୭), ଆୟୁଷ ବଦୋନି(୪) ଓ ମାର୍କସ ଷ୍ଟୋଇନିସ(୧) ସମସ୍ତଙ୍କୁ ନରାଶ କରିଥିଲେ। ଏକଦା ୯୮ ରନ୍ରେ ୨ଟି ୱିକେଟ ହରାଇଥିବା ଲକ୍ଷ୍ନୌ ୧୧୧ ବେଳକୁ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଜେସନ ହୋଲ୍ଡର କ୍ରିଜ୍ରେ ଥିବାରୁ ଲକ୍ଷ୍ନୌ ବଡ଼ ସ୍କୋର ଆଶା କରିଥିଲା। କିନ୍ତୁ ସେ ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ରାହୁଲ ଚହର ନେଇଥିଲେ। ୧୮ତମ ଓଭର୍ରେ ଚାମିରା ୨ଟି ଛକା ମାରିବାରୁ ଦଳୀୟ ସ୍କୋର ୧୫୦ର ନିକଟତର ହୋଇଥିଲେ। ସେ ମାତ୍ର ୧୦ ବଲରେ ୧୭ ରନ୍ କରିଥିବା ବେଳେ ରାବାଡାଙ୍କ ୪ର୍ଥ ଶିକାର ବନିଥିଲେ। ଶେଷ ଭାଗରେ ମୋହଶିନ ଖାନ ଅପରାଜିତ ୧୩ ଓ ଆଭେଶ ଖାନ ୨ ରନ୍ କରିବାକୁ ଲକ୍ଷ୍ନୌ କଷ୍ଟମଷ୍ଟେ ୮ ୱିକେଟ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ରାବାଡା ୪ଟି ୱିକେଟ ନେଇଥିବା ବେଳେ ରାହୁଲ ଚହର ୨ଟି ଓ ସନ୍ଦୀପ ଶର୍ମାଙ୍କ ଖାତାକୁ ଗୋଟିଏ ସଫଳତା ଯାଇଛି।
ଜବାବରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ବୋଲରଙ୍କ ମୁକାବିଲା କରିନପାରି ୮ ଓ୍ଵିକେଟ୍ ବିନିମୟରେ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜଣେ ହେଲେ ବ୍ୟାଟସମ୍ୟାନ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଜୋନି ବେୟାରଷ୍ଟୋ ସର୍ବାଧିକ ୩୨ ରନ ଏବଂ ମୟଙ୍କ ଅଗ୍ରଓ୍ଵାଲ ୨୫ ରନ କରିଥିଲେ। ଲକ୍ଷ୍ନୌ ତରଫରୁ ମୋହସିନ ଖାନ ୨୪ ରନ ଦେଇ ୩, ଦୁଷ୍ମନ୍ତା ଚମିରା ୧୭ ରନ ଦେଇ ୨ ଏବଂ କୃଣାଲ ପାଣ୍ଡ୍ୟା ୧୧ ରନ ଦେଇ ୨ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଲକ୍ଷ୍ନୌ ତରଫରୁ ଋଷି ଧାଓ୍ଵନ ୨୧ ରନ କରି ଅପରାଜିତ ଥିଲେ। ଲିୟମା ଲିଭିଙ୍ଗଷ୍ଟୋନ ୧୮ ରନ କରି ଆଉଟ୍ ହାେଇଥିଲେ।
