ଆଇପିଏଲ୍ରୁ କୋହଲି ଓହରିଯିବା ଉଚିତ, ଜାଣନ୍ତୁ କାହିଁକି କହିଲେ ଶାସ୍ତ୍ରୀ
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଏକଦା ବିଶ୍ବ କ୍ରିକେଟ୍ର ସର୍ବଶ୍ରେଷ୍ଠ ବ୍ୟାଟର୍ର ମାନ୍ୟତା ଲାଭ କରିଥିବା ବିରାଟ କୋହଲିଙ୍କ ଲଗାତାର ବିଫଳତା କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ମଧ୍ୟ ବ୍ୟଥିତ କରିଛି। ଏପରିକି କୋହଲିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଶାସ୍ତ୍ରୀ। ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରେ ସେ କହିଛନ୍ତି ଯେ ସେ (କୋହଲି) ଲଗାତାର କ୍ରିକେଟ୍ ଖେଳି ଚାଲିଛନ୍ତି। ତିନିଟିଯାକ ଫର୍ମାଟ୍ରେ ଭାରତୀୟ ଦଳର ନେତୃତ୍ବ ନେଉଥିଲେ।
ଏଣୁ କିଛି ସମୟ କ୍ରିକେଟ୍ରୁ ବିଶ୍ରାମ ନେବା ତାଙ୍କ ପାଇଁ ବିଜ୍ଞତାର ପରିଚୟ ହେବ। କେବେ କେବେ ଆପଣଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥାଏ। ଏଣୁ କୋହଲି ଯଦି ଆଉ ୬-୭ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଚାହୁଛନ୍ତି, ତାହେଲେ ଆଇପିଏଲ୍ରୁ ଓହରି ଯାଆନ୍ତୁ। କେବଳ କୋହଲି ନୁହନ୍ତି, ସମସ୍ତ ଖେଳାଳିଙ୍କୁ ମୁଁ ଏହି ପରାମର୍ଶ ଦେବାକୁ ଚାହିଁବି। ଭାରତ ପାଇଁ ଲମ୍ବା ଅବଧି ପର୍ଯ୍ୟନ୍ତ ଖେଳିବାକୁ ହେଲେ ଆପଣଙ୍କୁ ନିଜେ ନିଜର ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ମଝିରେ ମଝିରେ କ୍ରିକେଟ୍ରୁ ଦୂରେଇ ଶରୀର ଏବଂ ମନକୁ ସତେଜ ରଖିବାକୁ ହେବ ବୋଲି ଶାସ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଶାସ୍ତ୍ରୀ ଗୋଟିଏ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, “ମୁଁ ଭାବୁଛି ଗୋଟିଏ ବ୍ରେକ ବିରାଟଙ୍କ ପାଇଁ ଉଚିତ ପଦକ୍ଷେପ ହେବ। କାରଣ ଦୀର୍ଘ ଦିନ ହେଲା ସେ ନନଷ୍ଟପ କ୍ରିକେଟ ଖେଳି ଆସୁଛନ୍ତି। ସେ ସବୁ ଫର୍ମାଟରେ କ୍ୟାପ୍ଟେନ୍ସି କରୁଥିଲେ। ତେଣୁ ଏବେ କିଛି ସମୟ ପାଇଁ ବ୍ରେକ ନେବା ତାଙ୍କ ପାଇଁ ଶ୍ରେୟସ୍କର। ଆପଣମାନେ ଜାଣିଛନ୍ତି ଯେ ବେଳେବେଳେ ଆମକୁ ବାଲାନ୍ସ ରକ୍ଷା କରିବାକୁ ପଡ଼ିବ। ଚଳିତ ବର୍ଷ ବିରାଟ ଆଇପିଏଲ ଖେଳି ସାରିଲେଣି। ଯଦି ଆପଣ ନିଜର ଅନ୍ତର୍ଜାତୀୟ କ୍ୟାରିୟରକୁ ଦୀର୍ଘ ସମୟ ଧରି ଚାଲୁ ରଖିବାକୁ ଚାହୁଁଛନ୍ତି ଓ ଆସନ୍ତା ୬-୭ ବର୍ଷ ଧରି ନିଜର ଛାପ ଛାଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ଆଇପିଏଲରୁ ଓହରି ଯାଆନ୍ତୁ। ଏକଥା ମୁଁ କେବଳ ବିରାଟ କୋହଲିଙ୍କ ପାଇଁ କହୁନାହିଁ ବରଂ ସବୁ ଖେଳାଳିଙ୍କ ପାଇଁ ଏହି ନିୟମ ଲାଗୁ ହୋଇପାରିବ। ଭାରତ ପାଇଁ ଦୀର୍ଘ ସମୟ ଧରି ଖେଳିବାକୁ ଆଶା ରଖିଥିବା ସବୁ ଖେଳାଳିଙ୍କୁ ବ୍ରେକ ନେବା ଜରୁରୀ। ଆଦର୍ଶ ବ୍ରେକ ଅଫ ସିଜିନ ଜଣେ ଖେଳାଳିଙ୍କୁ ମଜବୁତ କରିଥାଏ। ବେଳେବେଳେ ଆଇପିଏଲର ଫ୍ରାଞ୍ଚାଇଜ୍ମାନଙ୍କ ଚାପ ରହିଥାଏ। ତେଣୁ ଏହାକୁ ମାତ ଦେବାକୁ ହେଲେ ଜଣେ ଖେଳାଳି ଅଧା ସିଜିନ ଖେଳି ଅଧା ଟଙ୍କା ନେବେ ବୋଲି ମଧ୍ୟ ଚୁକ୍ତି କରିପାରିବେ। ଜଣେ ଭଲ ଅନ୍ତର୍ଜାତୀୟ କ୍ରିକେଟର ହେବାକୁ ହେଲେ ବ୍ରେକ ଓ ବାଲାନ୍ସ ନିୟମ ପାଳନ କରିବାକୁ ହେବ। ବିରାଟଙ୍କ ପାଖରେ ଏବେ ବି ଆହୁରି ୫ରୁ ୬ ବର୍ଷର ଖେଳ ରହିଛି। ସେ କିଛି ମାସ ହେଲା କଠିନ ସମୟ ଦେଇ ଗତି କରୁଛନ୍ତି। ଏକଥା ବିରାଟ ମଧ୍ୟ ଜାଣିଛନ୍ତି। ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ଏପରି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।”
