ମେ’ ୧୭ରେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍ଆଇସି
ନୂଆଦିଲ୍ଲୀ : ଭାରତର ସର୍ବବୃହତ୍ ବୀମା କମ୍ପାନୀ ଏଲ୍ଆଇସିର ବମ୍ପର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ବନ୍ଦ ହେବାର ଗୋଟିଏ ସପ୍ତାହ ପରେ ଏହା ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ। ମେ’ ୧୭ରେ ଏଲ୍ଆଇସି ତାଲିକାଭୁକ୍ତ ହେବା ନେଇ ସୂଚନା ମିଳିଛି। ଭାରତ ସରକାର ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ୨୨.୩ କୋଟିରୁ ଅଧିକ ସେୟାର ୯୦୨-୯୪୯ ଟଙ୍କାର ପ୍ରାଇସ ବ୍ୟାଣ୍ଡରେ ବିକ୍ରି କରୁଛନ୍ତି। ଯାହାକି ଆସନ୍ତା ମେ ୪ରେ ଖୋଲିବ ଏବଂ ମେ ୯ ତାରିଖରେ ବନ୍ଦ ହେବ।
ସେବିରେ ଦାଖଲ ହୋଇଥିବା ଅନ୍ତିମ ପେପର ଅନୁସାରେ, ବିଡରଙ୍କ ଡିମାଟ ଆକାଉଣ୍ଟରେ ସେୟାର ଆଲର୍ଟମେଣ୍ଟ ମେ ୧୬ରେ ହେବ ଏବଂ ଏହାପରେ ଏଲ୍ଆଇସି ଷ୍ଟକ ମାର୍କେଟରେ ଇକ୍ବିଟି ସେୟାରଗୁଡିକର କାରବାର ଆରମ୍ଭ କରିବ। ଆଙ୍କର ନିବେଶକଙ୍କ ପାଇଁ ଏଲଆଇସି ଆଇପିଓ ମେ’ ୨ରେ ଏବଂ ସର୍ବସାଧାରଣଙ୍କ ପାଇଁ ମେ’ ୪ରେ ଖୋଲିବ। ସରକାର ଏଲ୍ଆଇସିର ୨୨,୧୩,୭୪,୯୨୦ ସେୟାର ବିକ୍ରି କରୁଛନ୍ତି ଏବଂ ଏଥିରୁ ୨୧,୦୦୦ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ୧୫,୮୧,୨୪୯ରୁ ଅଧିକ ସେୟାର ଓ ୨,୨୧,୩୭,୪୯୨ ଅଧିକ ସେୟାର କମ୍ପାନୀ କର୍ମଚାରୀ ଏବଂ ପଲିସିଧାରୀଙ୍କ ପାଇଁ ସଂରକ୍ଷିତ କରାଯାଇଛି। ସେହିପରି ୨.୯୬ କୋଟିରୁ ଅଧିକ ସେୟାର ଅଣ-ସଂସ୍ଥାଗତ ନିବେଶକ ପାଇଁ ଉଦ୍ଧିଷ୍ଟ ରହିଛି। ଆଇପିଓରେ ପଲିସିଧାରୀ ସେୟାର ପିଛା ୬୦ ଟଙ୍କା ରିହାତି ପାଇବେ। ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ।
