ନୀଳଗିରିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ଅହୋରାତ୍ର ଗଣଧାରଣାର ଡାକରା, ଦାବିପତ୍ର ପ୍ରଦାନ
ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ବଣ ପାହାଡ଼ ଘେରା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ରାଜା ରାଜୁଡ଼ି ଶାସକ ଅମଳରେ ସ୍ଥାପିତ ହୋଇଥିବା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମୟର ପରିବର୍ତ୍ତନ ଅନୁସାରେ ମେଡିକାଲର ଆବଶ୍ୟକତା ଓ ଜରୁରୀ ପ୍ରତିକାରକୁ ଗୁରୁତ୍ବ ଦେଉନାହାନ୍ତି। ଏହି ଚିକିତ୍ସାଳୟ ଉପରେ ପ୍ରତିଦିନ ଶହ ଶହ ଲୋକେ ନିର୍ଭର କରିଥାନ୍ତି। କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବ୍ୟୟ କରାଯାଇ ଅତ୍ୟାଧୁନିକ ନୂତନ ଡାକ୍ତରଖାନା ନିର୍ମାଣ କରାଯାଇଥିଲେ ମଧ୍ୟ ଏଠାରେ ଡାକ୍ତର ଅଭାବ ଦେଖାଦେଇଛି । ଯାହାଫଳରେ ରୋଗୀ ସେବାରେ ବାଧା ଉପୁଜୁଛି। ଏ ନେଇ ବୁଧବାର ରକ୍ତଦାତା ସଂଘ ପକ୍ଷରୁ ବିଭିନ୍ନ ଅଭିଯୋଗ ସହ ସ୍ଥାୟୀ ପ୍ରତିକାର ଦାବିରେ ଅହୋରାତ୍ର ଗଣଧାରଣା ଓ ଅନଶନ, ଆନ୍ଦୋଳନର ଡାକରା ଦେଇଛନ୍ତି।
ଭେଷଜ ବିଶେଷଜ୍ଞ, ନିଶ୍ଚେତକ, ମା’ ଓ ପ୍ରସୂତି ରୋଗ, ଶଲ୍ୟ ଚିକିତ୍ସା, ଅସ୍ଥିଶଲ୍ୟ ରୋଗ, କର୍ଣ୍ଣ, ନାସା, ଗଳା ରୋଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ସହ ଉପଖଣ୍ଡ ଚିକିତ୍ସାଳୟରେ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ପଡ଼ିବା, ଚିକିତ୍ସାଳୟ ପରିସରରେ ଥିବା କ୍ବାଟରରେ କୌଣସି ଡାକ୍ତର ନରହିବା, ଦନ୍ତ ଚିକିତ୍ସକ ଓ ଉପକରଣ ମହଜୁବ ଥାଇ ମଧ୍ୟ ଆନ୍ତରିକତା ଅଭାବରୁ ଚିକିତ୍ସା କରାଯାଇ ନଥିବା, ନିର୍ମଣାଧୀନ ହାସପାତାଳ ୱାର୍ଡର ଉପର ମହଲାକୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ନେବା ପାଇଁ ରାମ୍ପର ସୁବିଧା ନିର୍ମାଣ ନକରିବା, ଅନୁଦାନ ମଂଜୁର ହୋଇଥିଲେ ମଧ୍ୟ ଆଇସିୟୁ ଶଯ୍ୟା ସ୍ଥାପନ, କୋଭିଡ୍ ଭଳି ମହାମାରୀର ଚିକିତ୍ସା ପାଇଁ ସ୍ଵତନ୍ତ୍ର ୱାର୍ଡ ନ କରିବା ଆନ୍ଦୋଳନର ଦାନା ବାନ୍ଧିଛି। ଏହି ସମସ୍ତ ଦାବି ସଂପର୍କରେ ରକ୍ତଦାତା ସଂଘ ବାରମ୍ବାର ଉପଖଣ୍ଡ ପ୍ରଶାସନ, ଜିଲା ଓ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନଥିଲେ । ଏଣୁ ଆନ୍ଦୋଳନ ଧର୍ମଘଟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଉପାୟ ନଥିବାରୁ ଆସନ୍ତା ମେ ୩ ତାରିଖ ମଙ୍ଗଳବାର ପୂର୍ବାହ୍ନ ୭ ତା ଠାରୁ ଦାବିପୂରଣ ପର୍ଯ୍ୟନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଓ ଅନଶନ, ଆନ୍ଦୋଳନ ହେବାର ରକ୍ତଦାତା ସଂଘର ଉପଦେଷ୍ଟା ରବି ରାଉତ, ରକ୍ତ ଦାତା ସଂଘର ସଂପାଦକ ବିଜୟ ପାତ୍ର, ଗୋପାଳ ଚନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମହଲ ପ୍ରମୁଖ ଦାବି ଜଣାଇ ନୀଳଗିରି ଉପଜିଲାପାଳ ଦୀପ୍ତି ରଞ୍ଜନ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
