ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ବୁଧବାର ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଅପରାହ୍ନ ୪ ଟାରୁ ରାତ୍ରୀ ୮ ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ସକାଳ ୭ଟାରୁ ପୁଣି ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ଡଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। ଦତ୍ତମହାପାତ୍ର ସେବକମାନେ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ନୀତି ସମ୍ପନ୍ନ କରାଯିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।
ଧଳା, କଳା, ନାଲି ଓ ହଳଦିଆ ଭଳି ୪ଟି ରଙ୍ଗ ଏଥିପାଇଁ ବ୍ୟବହୃତ ହୋଇଥାଏ। ଧଳା ପାଇଁ ଶୁଦ୍ଧ ଶଙ୍ଖ ଗୁଣ୍ଡ, କଳାରଙ୍ଗ ପାଇଁ ଦୀପକଳା, ହଳଦିଆ ରଙ୍ଗ ଲାଗି ହରିତାଳ, ନାଲି ରଙ୍ଗ ଲାଗି ହିଙ୍ଗୁଲ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗକୁ ବଟାଯାଇ ରୂପା ପିଙ୍ଗଣରେ ଶୁଦ୍ଧପୁତ ଭାବେ ରଖାଯାଇ କଇଥ ଅଠା ଗୋଳାଇ ଦିଆଯାଏ। ଦତ୍ତମାହାପାତ୍ର ସେବକମାନେ ମୂଷିକା ତୁଳୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ରଙ୍ଗ ସମୁହକୁ ଲାଗି କରିଥାନ୍ତି। ଏଥିପାଇଁ ଦତ୍ତମହାପାତ୍ର ସେବକମାନେ ଶୁଦ୍ଧପୂତ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜୀଉଙ୍କ ମୁଖଶୃଙ୍ଗାର କରନ୍ତି। ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରୁହେ। ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇ ପୁନଃ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ ଓ ଅନ୍ୟ ନୀତି ବଢ଼ିଥାଏ।
ଏହି ନୀତି ସମୟରେ ପ୍ରାକୃତିକ ରଙ୍ଗରେ କସ୍ତୁରୀ ଓ କେଶର ମିଶିଥାଏ। କସ୍ତୁରୀ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଓ ମସୃଣ ରୁହେ। ରତ୍ନସିଂହାସନ ସମ୍ମୁଖରେ ଯେଉଁ ଭୋଗ ବଢ଼ାହୁଏ, ତା’ର ଗରମ ବାଷ୍ପ ଯୋଗୁ ଶ୍ରୀଜୀଉଙ୍କ ମୁଖମଣ୍ଡଳର ଉଜ୍ଜ୍ୱଳତା କମିଯାଏ। ଏଣୁ କସ୍ତୁରୀ ବ୍ୟବହାର କରାଯାଇ ଶ୍ରୀଜୀଉଙ୍କ ମୁଖମଣ୍ଡଳର ରଙ୍ଗ ଦୀର୍ଘସ୍ଥାୟୀ କରାଯାଏ। ଦତ୍ତମହାପାତ୍ରଙ୍କ ସହ ପାଳିଆ ଖୁଣ୍ଟିଆ, ପାଳିଆ ପୂଜାପଣ୍ଡା, ଗରାବଡୁ, ଚାଙ୍ଗଡା ମେକାପ, ମୁଦୁଲି ସେବକମାନେ ଶ୍ରୀଜୀଉଙ୍କ ଏହି ନୀତିରେ ସହାୟତା କରିଥାନ୍ତି। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇ ନ ଥାଏ। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ମଧ୍ୟ ବନ୍ଦ କରିଦିଆ ଯାଇଥାଏ।
