ଆଇପିଏଲ୍-୨୦୨୨ : ବାଙ୍ଗାଲୋରକୁ ୨୯ ରନରେ ହରାଇ ଶୀର୍ଷରେ ରାଜସ୍ଥାନ
ପୁଣେ : ଆଇପିଏଲ୍-୨୦୨୨ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ରାଜସ୍ଥାନ ରୟାଲ୍ସ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାରର ମୁକାବିଲାରେ ବ୍ୟାଟିଂରେ ଫେଲ୍ ମାରିଥିଲେ ମଧ୍ୟ ରିୟାନ ପରାଗଙ୍କ ଅର୍ଦ୍ଧଶତକ ଏବଂ ବୋଲର କୁଲଦୀପ ସେନ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ କମାଲ ପ୍ରଦର୍ଶନ କାରଣରୁ ରାଜସ୍ଥାନ ବାଙ୍ଗାଲୋରକୁ ୨୯ ରନରେ ହରାଇଛି । ଏହି ବିଜୟ ସହ ରାଜସ୍ଥାନ ୧୨ ପଏଣ୍ଟ ପାଇ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ବେଙ୍ଗାଲୁରୁ ନବମ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ଆଜି ନିରାଶ ଜନକ ଥିଲା। ୧୧ ରନ ସ୍କୋରରେ ଦେବଦତ୍ତ ପାଡିକଲ(୭) ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଆଜି ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସି ୯ ବଲରୁ ଦ୍ରୁତ ୧୭ ରନ କରିଥିଲେ। ତେବେ ଦଳର ଇନଫର୍ମ ବ୍ୟାଟସମ୍ୟାନ ଜୋସ୍ ବଟଲର(୮) ଆଉଟ୍ ହେବା ରାଜସ୍ଥାନକୁ ବଡ ଝଟକା ଲାଗିଥିଲା। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜୋସ ହେଜେଲଉଡ, ମହମ୍ମଦ ସିରାଜ ଓ ଓ୍ଵାନିନ୍ଦୁ ହସରଙ୍ଗା ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟକ ସଞ୍ଜୁ ସାମସନ ୨୭ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରିୟାନ ପରାଗ ଏକାକୀ ବେଙ୍ଗାଲୁରୁ ବୋଲରଙ୍କ ମୁକାବିଲା କରିଥିଲେ। ଅନ୍ୟପଟେ ସିମରନ ହେଟମାୟର ୩, ଡାରିଲ ମିଚେଲ୍ ୧୬, ଟ୍ରେଣ୍ଟ ବୋଲ୍ଟ ୫ ଓ ପ୍ରସିଦ୍ଧ କୃଷ୍ଣା ୨ ରନ କରି ଆଉଟ୍ ହୋଇଥିଲେ। ପରାଗ ଦମଦାର ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ପରାଗ ୩୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୫୬ ରନ କରିଥିଲେ। ତାଙ୍କର ଏହି ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି। ବେଙ୍ଗାଲୁରୁ ପକ୍ଷରୁ ଜୋସ୍ ହେଜେଲଉଡ ୧୯ ରନ ଦେଇ ୨, ଓ୍ଵାନିନ୍ଦୁ ହସରଙ୍ଗା ୨୩ ରନ ଦେଇ ୨ ଏବଂ ମହମ୍ମଦ ସିରାଜ ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷଲ ପଟେଲ୍ ୩୩ ରନ ଦେଇ ଗୋଟିଏ ସଫଳତା ପାଇଥିଲେ।
୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁକୁ ୧୦ ରନ ସ୍କୋରରେ ଝଟକା ଲାଗିଥିଲା। ପୁଣି ଥରେ ଫେଲ୍ ମାରିଛନ୍ତି ବିରାଟ କୋହଲି(୯)। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲଥିଲା। ଅଧିନାୟକ ଫାପ ଡୁପ୍ଲେସିସ୍ ୨୩ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ତେବେ ଗ୍ଲେନ ମ୍ୟାକ୍ସଓ୍ଵେଲ(୦)ରେ ଆଉଟ୍ ହେବା ବେଙ୍ଗାଲୁରୁକୁ ଶକ୍ତ ଧକ୍କା ଲାଗିଥିଲା। ରଜତ ପାଟିଦାର(୧୯), ସୁୟସ ପ୍ରଭୁଦେଶାଇ(୨) ମଧ୍ୟ କ୍ରମରେ ଦଳକୁ ନିରାଶ କରିଥିଲେ। ଦୁର୍ଭାଗ୍ୟବଶତଃ ଦିନେଶ କାର୍ତ୍ତିକ(୬) ରନ ଆଉଟ୍ ହୋଇଥିଲେ। ଶେଷ ଆଡକୁ ଶାହବାଜ ଅହମ୍ମଦ ୧୭ ରନ ଏବଂ ଓ୍ଵାନିନ୍ଦୁ ହସରଙ୍ଗା ୧୮ ରନ କରିଥିଲେ ହେଁ ଦଳକୁ ପରାଜୟରୁ ମୁକୁଳାଇ ପାରିନଥିଲେ। ବେଙ୍ଗାଲୁରୁ ୧୯.୩ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ ୨୦ ରନ ଦେଇ ୪ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୧୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରସିଦ୍ଧ କୃଷ୍ଣା ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
