ଆଇପିଏଲ-୨୦୨୨ : ବାଙ୍ଗାଲୋରକୁ ୧୪୫ ରନ୍ର ଟାର୍ଗେଟ ଦେଲା ରାଜସ୍ଥାନ
ପୁଣେ : ଆଇପିଏଲ-୨୦୨୨ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ଆଇପିଏଲର ୩୯ତମ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ବୋଲର ଶାଣିତ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୪ ରନ କରିଛି। ଦଳ ପକ୍ଷରୁ ରିୟାନ ପରାଗ ଏକା ଲଢି ୫୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଜୋସ ହେଜେଲଉଡ, ଓ୍ଵାନିନ୍ଦୁ ହସରଙ୍ଗା ଓ ମହମ୍ମଦ ସିରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ରାଜସ୍ଥାନ ବ୍ୟାଟସମ୍ୟାନଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇଥିଲେ। ଏହା ପୂର୍ବରୁ ଟସ୍ ଜିତି ବେଙ୍ଗାଲୁରୁ ବୋଲିଂ ନିଷ୍ପତ୍ତି ନେଇଥିଲା।
ଏହି ମ୍ୟାଚରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦେବଦତ୍ତ ପାଡିକ୍କଲ(୭), ରବିଚନ୍ଦ୍ରନ ଅଶ୍ୱିନ(୧୭) ଓ ବଟଲର(୮) ୩୩ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଏହାପରେ ସଞ୍ଜୁ ସାମସନ ଓ ଡାରୟଲ ମିଚେଲ କିଛି ସମୟ ଲଢ଼େଇ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ। ଦଳୀୟ ସ୍କୋର ୬୮ ଥିବା ବେଳେ ସାମସନ ୨୭ ରନ୍ କରି ୱାନିନ୍ଦୁ ହସରଙ୍ଗା ଡି ସିଲଭାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ମିଚେଲ(୧୬) ଓ ଶିମରନ୍ ହେଟମେୟର(୩) ମଧ୍ୟ ବଡ଼ ଶଟ ଖେଳିବା ଲୋଭରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୧୦ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ(୫)ଙ୍କୁ ଆଉଟ କରି ହର୍ଷଲ ପଟେଲ ରାଜସ୍ଥାନକୁ ୭ମ ଝଟକା ଦେଇଥିଲେ। ଗୋଟିଏ ପଟେ ୱିକେଟ ପଡ଼ି ଚାଲିଥିଲେ ହେଁ ରିୟାନ ପରାଗ ଅନ୍ୟପଟେ ଜବରଦସ୍ତ ବ୍ୟାଟିଂ କରିଚାଲିଥିଲେ। ସେ ଶେଷ ଓଭର୍ରେ ମଧ୍ୟ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଇନିଂସର ଶେଷ ବଲରେ ସେ ଛକା ମାରିବାରୁ ରାଜସ୍ଥାନ ତା’ର ଦଳୀୟ ସ୍କୋରକୁ ୧୪୪ ରନ୍ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା। ପରାଗ ୩୧ ବଲରେ ଅପରାଜିତ ୫୬ ରନ୍ କରିଛନ୍ତି। ଏହି ଇନିଂସ୍ରେ ସେ ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଆରସିବି ପକ୍ଷରୁ ମହମ୍ମଦ ସିରାଜ, ଜୋଶ ହେଜେଲଉଡ ଓ ହସରଙ୍ଗା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲଙ୍କୁ ଗୋଟିଏ ୱିକେଟ ମିଳିଛି। ରାଜସ୍ଥାନର ପ୍ରସିଦ୍ଧ କ୍ରିଷ୍ଣା(୨) ରନ୍ ଆଉଟ ରୂପେ ପ୍ୟାଭିଲିୟନ ଫେରିଥିଲେ।
