ଶୁଣିଲେନି ପ୍ରଶାସନ ! ରାଜ୍ୟ ରାଜପଥକୁ ମରାମତି କଲେ ଗ୍ରାମବାସୀ ଓ ସରପଞ୍ଚ
ନୀଳଗିରି : ଫେଲ ମାରିଲା ନୀଳଗିରି ପୂର୍ତ୍ତ ବିଭାଗ । ରାଜ୍ୟ ରାଜପଥକୁ ମରାମତି କଲେ ପାଖ ଗ୍ରାମବାସୀ ଓ ସରପଞ୍ଚ । ସୂଚନା ଯେ, ବାଲେଶ୍ୱର ଜିଲାରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ୧୯ନଂ. ରାଜ୍ୟ ରାଜପଥ ରାସ୍ତା ନୀଳଗିରିରୁ ଝରଣଘାଟି ପର୍ଯ୍ୟନ୍ତ ରାସ୍ତାର କିଛି କିଛି ସ୍ଥାନରେ ଶୋଚନୀୟ ଅବସ୍ଥା ହୋଇପଡ଼ିଛି । ପ୍ରତିଦିନ ଉକ୍ତ ରାସ୍ତାରେ ଶହ ଶହ ଭାରୀଯାନ, ଯାତ୍ରୀବାହୀ ଯାନ, ଆମ୍ବୁଲାନ୍ସ, ସ୍କୁଲଗାଡ଼ି, ପଥଚାରି ଓ ପ୍ରଶାସନର କାର୍ଯ୍ୟରତ କର୍ମଚାରୀମାନେ ଯାତାୟତ କରିଥାନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇ ଗାତ ହୋଇଯାଇଥିବା ବେଳେ ଏଥିରେ ପିଟି ହୋଇ ବାଇକ୍ ଓ ସାଇକେଲ ଆରୋହୀ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ବହୁ ବାର ଅଭିଯୋଗ ହୋଇଥିଲେ ସୁଦ୍ଧା ନୀଳଗିରି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଥିଲା । ଏହା ସତ୍ତ୍ୱେ ପ୍ରଶାସନର ନିଦ୍ରା ଭାଙ୍ଗି ନଥିଲା । ଏହି ବିଷୟ ବିଗତ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟି ନଦେବା କାରଣରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
ଏହି ପରିପ୍ରେକ୍ଷୀରେ ସଜନାଗଡ଼ ପଞ୍ଚାୟତ ଭାଲୁକାଶୁଣୀ ଗ୍ରାମର କିଛି ବାସିନ୍ଦା ଓ ନବ ନିର୍ବାଚିତ ସରପଞ୍ଚ ପ୍ରଦୀପ କୁମାର ଖାଲପାଳିଆ ରାଜ୍ୟ ରାଜପଥର ଭାଲୁକାଶୁଣି ଛକ ଠାରେ ବିଭିନ୍ନ ସ୍ଥାନରେ ମାଟି ଗୋଡ଼ି ପକାଇ ମରାମତି କରିଛନ୍ତି । ଯୁବ ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି । ବିପଦପୂର୍ଣ୍ଣ ରାଜ୍ୟ ରାଜପଥକୁ ମରାମତି କରିଥିବାକୁ ନେଇ ପ୍ରଶଂସାର ପାତ୍ର ହେଲେ ଗ୍ରାମବାସୀ ଓ ସରପଞ୍ଚ ।
