ଆଇପିଏଲ୍-୨୦୨୨ : ଚେନ୍ନାଇକୁ ୧୧ ରନରେ ହରାଇ ଚତୁର୍ଥ ବିଜୟ ହାସଲ କଲା ପଞ୍ଜାବ
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ସୋମବାର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଛି । ଏହି ମ୍ୟାଚ୍ରେ ଅମ୍ବାତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଛି ଚେନ୍ନାଇ । ପଞ୍ଜାବ କିଙ୍ଗ୍ସ ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୧ ରନରେ ପରାସ୍ତ କରି ଚଳିତ ଆଇପିଏଲର ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପଟେ ଆଠଟି ମ୍ୟାଚରୁ ଷଷ୍ଠ ପରାଜୟ ସହ ଚେନ୍ନାଇର ପ୍ଲେ ଅଫ ଆଶା ମୁସ୍କିଲ ହୋଇ ପଡିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଶିଖର ଧାଓ୍ଵନଙ୍କ ଅପରାଜିତ ୮୮ ରନ ଏବଂ ଭାନୁକ ରାଜପକ୍ଷେଙ୍କ ୪୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ଚେନ୍ନାଇ ରବିନ ଉଥପ୍ପାଙ୍କ ୭୮ ରନ ସତ୍ତ୍ଵେ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଛି। ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ପଞ୍ଜାବ ମ୍ୟାଚ୍ ଜିତି ନେଇଛି। କାଗିସୋ ରାବଡା ଏବଂ ଋଷି ଧାଓ୍ଵନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପୂର୍ବରୁ ଟସ୍ ଜିତି ଚେନ୍ନାଇ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ଏବଂ ଶିଖର ଧାଓ୍ଵନ ୩୭ ରନ ଯୋଡିଥିଲେ। ମୟଙ୍କ ୧୮ ରନ କରି ବିଦାୟ ନେଇଥିଲେ। ଏହା ପରେ ଶିଖର ଧାଓ୍ଵନ ଏବଂ ଭାନୁକ ରାଜପକ୍ଷେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୧୧୦ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ଭାନୁକ ୩୨ ବଲରୁ ୨ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୪୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଲିୟାମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ୭ ବଲରୁ ୧୯ ରନ କରିଥିଲେ। ଶିଖର ଧାଓ୍ଵନ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କର ୮୮ ରନର ଅପରାଜିତ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଛି। ଜୋନି ବେୟାରଷ୍ଟୋ ୬ ରନରେ ଅପରାଜିତ ଥିଲେ।
