ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସୋମବାର ଦିନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। କାରଣ ଗତ ଗତ ଶୁକ୍ରବାର ପରିଚାଳନା କମିଟି ବୈଠକରେ ସମୟ ଅଭାବରୁ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ପାରିନଥିଲା । ଆଜି ମଧ୍ୟ ସେବାୟତ ପ୍ରତିନିଧି ମାନେ ଏହି ବୈଠକରେ ଏକ ଦାବିପତ୍ର ପ୍ରଦାନ କରିବେ। ସେହିପରି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଅବସରରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବାକୁ ଥିବାରୁ ସମସ୍ତ ନୀତି କାନ୍ତି ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହେବ।
ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆୟୋଜିତ ଏହି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ଙ୍କ ସହ ପରିଚାଳନା କମିଟିର ସଦସ୍ୟ ମାନେ ଏହି ବୈଠକରେ ଭାଗ ନେବେ। ତେବେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୀଘ୍ର କିଭଳି ଶେଷ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟକୁ ବିରୋଧ କରି କିଛି ସଙ୍ଗଠନ ଓ ରାଜନୈତିକ ଦଳ ଆସନ୍ତା ୨୭ ତାରିଖରେ ବଡ଼ଦାଣ୍ଡରେ ପଦଯାତ୍ରା କରିବେ ବୋଲି ଯୋଜନା କରୁଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିବା ପାଇଁ ସେବାୟତଙ୍କ ପକ୍ଷରୁ ଏକ ଦାବିପତ୍ର ଗତକାଲି ଜିଲ୍ଲାପାଳଙ୍କୁ ଦିଆଯାଇଛି।
