ଆଇପିଏଲ୍ରେ ସର୍ବାଧିକ ଶତକ ହାସଲକାରୀ ତାଲିକାର ମିଳିତ ତୃତୀୟ ସ୍ଥାନରେ ରାହୁଲ
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ନବାଗତ ଦଳ ଭାବେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପଦାର୍ପଣ କରିଛି । ଆଉ ଏହି ଦଳ ଅଧିନାୟକ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଚଳିତ ସିଜିନରେ ଭଲ ପ୍ରଦର୍ଶନ ମଧ୍ୟ କରିଛି । ଦଳ ମୋଟ ୮ଟି ମ୍ୟାଚ ଖେଳି ୫ଟି ବିଜୟ ହାସଲ କରିଛି। ଫଳରେ ୧୦ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି।
ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି । ଆଉ ଏଥିରେ ଦଳର ଅଧିନାୟକ ଲୋକେଶ ରାହୁଲ ମଧ୍ୟ ରୋମାଞ୍ଚ ଭରା ଶତକ ଲଗାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ରିଲେ ମେରେଡିଥଙ୍କୁ ମିଡୱିକେଟ୍ ଉପରେ ଛକା ମାରି ରାହୁଲ ତାଙ୍କ ଶତକ ପୂରଣ କରିଥିଲେ। ଚଳିତ ଋତୁରେ ମୁମ୍ବାଇ ବିପକ୍ଷରେ ଏହା ତାଙ୍କର ଦ୍ବିତୀୟ ଏବଂ ମୋଟ ଉପରେ ଚତୁର୍ଥ ଆଇପିଏଲ୍ ଶତକ ଥିଲା। ଏହା କରି ରାହୁଲ ମଧ୍ୟ ଆଇପିଏଲ୍ରେ ସର୍ବାଧିକ ଶତକ ହାସଲକାରୀ ତାଲିକାର ମିଳିତ ତୃତୀୟ ସ୍ଥାନରେ ପହଞ୍ଚି ଯାଇଥିଲେ।
ଏହି ତାଲିକାରେ କ୍ରିସ୍ ଗେଲ୍ ୬ ଶତକ ସହ ପ୍ରଥମ ସ୍ଥାନରେ ଥିଲା ବେଳେ ବିରାଟ କୋହଲି ୫ ଶତକ ଅର୍ଜନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଜୋସ୍ ବଟଲର, ସେନ୍ ୱାଟସନ୍ ଓ ଡେଭିଡ୍ ୱାର୍ଣ୍ଣର (ପ୍ରତ୍ୟେକ ଚାରିଟି ଲେଖାଏଁ ଶତକ)ଙ୍କ ସହ ରାହୁଲ ଏବେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ଗୋଟିଏ ଋତୁରେ କୌଣସି ପ୍ରତିପକ୍ଷ ବିପକ୍ଷରେ ଦୁଇଟି ଶତକ ଅର୍ଜନ କରିବାରେ ରାହୁଲ କିନ୍ତୁ କୋହଲି (ବନାମ ଗୁଜରାଟ ଲାୟନ୍ସ, ୨୦୧୬)ଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ।
