ଚାଲିଗଲେ ପାଟଦେଇ : ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି
କଟକ: ଚାଲିଗଲେ ପାଟଦେଇ । ବିଶିଷ୍ଟ ସାହିତ୍ୟିକା ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ରବିବାର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବାଦାମବାଡ଼ି ସ୍ଥିତ ବାସଭବନରେ ହୃଦରୋଗରେ ତାଙ୍କର ପରଲୋକ ଘଟିଛି । ବୀଣାପାଣି ମହାନ୍ତି ଜଣେ କବୟିତ୍ରୀ, ଗାଳ୍ପିକା ଭାବେ ପାଠକୀୟ ମହଲରେ ସୁପରିଚିତ ଥିଲେ । ତାଙ୍କର ବିଭିନ୍ନ ସାହିତ୍ୟ କୃତି ଅଗ୍ରଣୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା ।
୧୯୩୬ ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ମହାନ୍ତି ବୃତ୍ତିରେ ଅଧ୍ୟାପିକା ଭାବେ କାର୍ଯ୍ୟକରି ସେଥିରୁ ଅବସର ନେଇଥିଲେ । ସେ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହାଛଡ଼ା ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଅଧ୍ୟାପନା ଜୀବନ ଭିତରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ସାହିତ୍ୟ ପ୍ରତି ରୁଚି ରଖିଥିଲେ। ତାଙ୍କର ସାହିତ୍ୟିକ ଯାତ୍ରା ଜଣେ ଷ୍ଟୋରୀଟେଲର ଭାବେ ଆରମ୍ଭ ହୋଇଥିଲା। ୧୯୬୦ ମସିହାରେ ତାଙ୍କର ପ୍ରଥମ ଗପ ‘ଗୋଟିଏ ରାତିର କାହାଣୀ’ ପ୍ରକାଶ ପାଇଥିଲା। ତାଙ୍କର ଅନ୍ୟ ଲୋକପ୍ରିୟ ଗପ ମଧ୍ୟରେ ପାଟଦେଈ, ଖେଳଘର, ନଈକୁ ରାସ୍ତା, ବସ୍ତ୍ର ହରଣ, କସ୍ତୁରୀ ମୃଗ ଓ ସବୁଜ ଆରଣ୍ୟ ଏବଂ ମିଛି ମିଛିକା ରହିଛି। ଏହାଛଡ଼ା ସେ ହିନ୍ଦୀ, ଇଂଲିଶ, କନ୍ନଡ, ମାଲାୟାଲାମ୍, ମରାଠି, ବେଙ୍ଗଲୀ, ଉର୍ଦ୍ଦୁ, ତେଲୁଗୁ ଓ ରଷିଆନ୍ ଆଦି ଭାଷରୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟରେ “ଅନ୍ଧକାରର ଛାଇ” ଫିଲ୍ମ ତିଆରି ହୋଇଥିଲା। ଏହି ଫିଲ୍ମ ଲୋକଙ୍କ ଆଦୃତି ପାଇଥିଲା।
ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନବଦ୍ୟ ସୃଷ୍ଟି ପାଇଁ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଓ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ମଧ୍ୟ ଓଡିଶା ଲେଖିକା ସଂସଦର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ବୀଣାପାଣିଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ପାଟ ଦେଇ ୧୯୮୬ରେ ‘ଫେମିନା’ ପତ୍ରିକାରେ ‘ଲତା’ ଶୀର୍ଷକରେ ପ୍ରକାଶିତ ହୋଇଥିଲା ଓ ୧୯୮୭ରେ ଏହାର ହିନ୍ଦୀ ନାଟ୍ୟ ରୂପାନ୍ତର ‘କଶ୍ମାକଶ’ ନାମକ ଏକ ଧାରାବାହିକ ଭାବରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ତାଙ୍କ ରଚିତ ଅନେକ କ୍ଷୁଦ୍ରଗଳ୍ପ ଇଂରାଜୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ବଙ୍ଗାଳୀ, ଉର୍ଦ୍ଦୁ, ତେଲୁଗୁ ଏବଂ ରୁଷ ଭଳି ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି। ତାଙ୍କ ରଚିତ ‘ଅନ୍ଧକାରର ଛାଇ’ ଉପରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଏବଂ ତାହା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।
