ଆଜି ଶ୍ରୀଜୀଉଙ୍କ ପଇତାଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୪ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଲୋକସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପଇତାଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବକମାନେ ଚନ୍ଦନଯାତ୍ରା ପୂର୍ବରୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ସମ୍ପାଦିତ କରିବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବେ । ଏହି ସମୟରେ ଜୟବିଜୟ ଦ୍ୱାର ବନ୍ଦ ରହିବ । ନୀତି ସମ୍ପନ୍ନ ପରେ ଭକ୍ତମାନେ ଦର୍ଶନ ସୁଯୋଗ ଲାଭ କରିବେ ।
ବିଗ୍ରହମାନଙ୍କର ବର୍ଷକୁ ଦୁଇ ତିନିଥର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଦଇତାପତି ସେବକମାନେ ଠାକୁରଙ୍କ ଶ୍ରୀଅଙ୍ଗରେ ପଇତାଲାଗି କରିବେ। ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହେବା ପରେ ପୁଣି ଥରେ ନୀତି ଆରମ୍ଭ ହେବ। ସାଧାରଣ ଭକ୍ତମାନେ ପୂର୍ବବତ୍ ଦର୍ଶନ କରିବା ସୁଯୋଗ ପାଇବେ। ମହାପ୍ରଭୁଙ୍କ ଗଳଦେଶରେ ବର୍ଷସାରା ଲାଗି ହେଉଥିବା ଚନ୍ଦନକୁ ଧରି ରଖିବା ପାଇଁ କାଣି ଅଙ୍ଗୁଠି ମୋଟ ପାଟ ସୂତାରେ ଜାଲି ପ୍ରସ୍ତୁତ ହୋଇଥାଏ। ପ୍ରସ୍ତୁତି ଜାଲିକୁ ଲାଗି କରାଯାଇଥାଏ। ଏହାକୁ ପଇତା ଲାଗି ନୀତି କୁହାଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଜଣାପଡ଼ିଛି।
