ଆଇପିଏଲ୍-୨୦୨୨ : ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୨ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଦୟନୀୟ ପ୍ରଦର୍ଶନ କରି ସାରିଛି। ରବିବାର ଦଳ ନିଜର ଅଷ୍ଟମ ମୁକାବିଲାରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟିବ। ଦଳ କ୍ରମାଗତ ସାତୋଟି ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି। ଯଦି ଦଳ ଆଜିର ମ୍ୟାଚ୍ ହାରିଯାଏ ତେବେ ପ୍ଲେ ଅଫ ଦୌଡରୁ ବାହାରି ଯିବ। ଅନ୍ୟପଟେ ଲକ୍ଷ୍ନୌ ଏହି ମ୍ୟାଚ୍ ଜିତି ଟପ୍ ୪ରେ ନିଜ ସ୍ଥାନ ସୁଦୃଢ କରିବାକୁ ଚାହିଁବ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇର ଚୂଡାନ୍ତ ଏକାଦଶ ସମାନ ରହିଥିବା ବେଳେ ଲକ୍ଷ୍ନୌ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଆହିତ ଅଭେଶ ଖାନଙ୍କ ସ୍ଥାନରେ ମହଶିନ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।
ମୁମ୍ବାଇ ଇଣ୍ଡିଆନ୍ସ ବହୁ ପ୍ରୟାସ ପରେ ବି ପ୍ରତି ଥର ଦଳକୁ ପରାଜୟ ମିଳିଛି। ଅଧିନାୟକ ରୋହିତ ଶର୍ମା, ଓପନର ଇଶାନ କିଷନଙ୍କ ଖରାପ ଫର୍ମ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଲକ୍ଷ୍ନୌ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚାଲିଛି। ଲକ୍ଷ୍ନୌର ବ୍ୟାଟିଂରେ ଗଭୀରତା ରହିଛି ଏବଂ ବୋଲର ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ଜିତିବାକୁ ହେଲେ କେଏଲ ରାହୁଲଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡିବ। ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖୁବ୍ ଗର୍ଜିଥାଏ। କେଏଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୫ଟି ମ୍ୟାଚ୍ ଖେଳି ୭୬ ହାରରେ ୭୬୪ ରନ କରିଛନ୍ତି। ରାହୁଲ ମୁମ୍ବାଇ ବିପକ୍ଷରେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି। ଏପରିକି ୨୦୧୮ ସିଜିନରେ ସେ ମୁମ୍ବାଇ ବିପକ୍ଷରେ ୯୪.୫ ହାରରେ ରନ କରିଥିଲେ। ଗତ ନଅଟି ଇନିଂସରେ କେଏଲ ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨ ଶତକ, ଚାରି ଅର୍ଦ୍ଧଶତକ ହାସଲ କରିଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ- ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଡେଓ୍ଵାର୍ଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରଣ ପୋଲାର୍ଡ, ଋତିକ ଶୌକିନ, ଜୟଦେବ ଉନାଦକତ/, ଡାନିଏଲ ସାମ୍ସ, ରିଲେ ମେରେଡିଥ୍, ଯଶପ୍ରୀତ ବୁମରା।
ଲକ୍ଷ୍ନୌ ସୁପର ଜାଏଣ୍ଟସ ଚୂଡାନ୍ତ ଏକାଦଶ- କେଏଲ ରାହୁଲ(ଅଧିନାୟକ), କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ, ଜାସନ ହୋଲଡର, ଦୁଷ୍ମନ୍ତା ଚମିରା, ମହଶିନ ଖାନ ଓ ରବି ବିଷ୍ଣୋଇ।
