ଆଇପିଏଲ-୨୦୨୨ : ୩୭ତମ ଲିଗ ମ୍ୟାଚରେ ଲକ୍ଷ୍ନୌ-ମୁମ୍ବାଇ ମୁକାବିଲା
ମୁମ୍ବାଇ: ଆଇପିଏଲ-୨୦୨୨ର ୩୭ତମ ଲିଗ ମ୍ୟାଚରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷୌ ସୁପରଜାଏଣ୍ଟସ ମୁକାବିଲା ଦେଖିବାକୁ ମିଳିବ । ଆଇପିଏଲର ସବୁଠୁ ଶକ୍ତିଶାଳୀ ତଥା ୫ ଥରର ଚମ୍ପିଆନ ମୁମ୍ବାଇ ଚଳିତ ସିଜିନରେ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏଯାଏଁ ୭ଟି ମ୍ୟାଚ ଖେଳି ଗୋଟିଏ ବି ଜିତିନାହିଁ । ଫଳରେ ଆଜିର ମ୍ୟାଚ ଜିତି ଖାତା ଖୋଲିବାକୁ ଚେଷ୍ଟା କରିବ । ସେହିପରି ଚଳିତ ସିଜିନରେ ନବାଗତ ଲକ୍ଷ୍ନୌ ଦଳ ଫୁଲ ଫର୍ମରେ ଅଛି । ମୋଟ ୭ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଛି ଦଳ । ୮ ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।
ପୂର୍ବରୁ ବାଙ୍ଗାଲୋରକୁ ଭେଟିଥିବା ଲକ୍ଷ୍ନୌ ୧୮ରନରେ ପରାସ୍ତ ହୋଇଥିଲା । ପୂର୍ବ ପରାଜୟକୁ ଭୁଲି ଆଜି ସମସ୍ତ ତ୍ରୁଟି ସୁଧାରି ଦଳକୁ ପ୍ରଦର୍ଶନ କରିବାକୁ ପଡିବ । ମୁମ୍ବାଇକୁ ହରାଇ ପଏଣ୍ଟ ଟେବୁଲ ଉପରକୁ ଉଠିବାକୁ ଚେଷ୍ଟା କରିବ ରାହୁଲ ବାହିନୀ । ଦଳର ସବୁ ବିଭାଗର ପ୍ରଦର୍ଶନ ଭଲ ରହିଛି । ଶେଷ ଥର ପାଇଁ ମୁମ୍ବାଇ ବିପକ୍ଷରେ ଲୋକେଶ ରାହୁଲ ଅପରାଜିତ ଶତକ (୧୦୩) ହାସଲ କରିଥିଲେ ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରାଯାଉଛି । ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ ୫ଥର ଟ୍ରଫି ହାତେଇଥିବା ମୁମ୍ବାଇର ପ୍ରଦର୍ଶନ ଫିକା ରହିଛି । ଲଗାତାର 7ଟି ପରାଜୟ ବରଣ କରିଛି ଏମଆଇ । ମୁମ୍ବାଇ ତାର ଶେଷ ମ୍ୟାଚରେ ଚେନ୍ନାଇକୁ ଭେଟିଥିଲା । ସୁପରକିଙ୍ଗସଠୁ ପରାସ୍ତ ହୋଇଥିଲା ଇଣ୍ଡିଆନ୍ସ । ମୁମ୍ବାଇରେ ଦକ୍ଷ ପେସ ବୋଲର ଅଛନ୍ତି । ହେଲେ ସସସ୍ତେ ନିରାଶ କରିଛନ୍ତି । ସ୍ପିନ ବିଭାଗ ବି କିଛି ବିଶେଷ ପ୍ରଦର୍ଶନ କରିନାହାନ୍ତି । ଆଜିର ମ୍ୟାଚରେ ରୋହିତ ଓ ଇଶାନ କିଷନଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଉଭୟ ସଫଳ ହେଲେ ବିଜୟ ସହଜ ହେବ । ଆଜି ମ୍ୟାଚକୁ ଜିତି ଦଳ ପରାଜୟ ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ।
