ଫେରିବ ଗ୍ରୀଷ୍ମ ପ୍ରବାହ ! ୨୫ରୁ ୨୭ ହିଟ୍ ୱେଭ୍ ଜାରି
ଭୁବନେଶ୍ୱର : ରାଜ୍ୟରେ ଫେରିବ ଗ୍ରୀଷ୍ମ ପ୍ରବାହ । ଉତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଉତପ୍ତ-ଶୁଷ୍କ ବାୟୁ ଏବଂ ଅତ୍ୟାଧିକ ସୂର୍ଯ୍ୟ ଉତାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଆଗାମୀ ୩ ଦିନ ମଧ୍ୟରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାତି ରେକର୍ଡ ହୋଇପାରେ । ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ଜାରି ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆସନ୍ତା ୨୫ ତାରିଖରେ ରାଜ୍ୟର ବଲାଙ୍ଗୀର, ବୌଦ୍ଧ, ଏବଂ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୨୬ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ମୟୁରଭଂଜ ଏବଂ ୨୭ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ମୟୁରଭଂଜ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଦେବ । ଏହାକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶିଶୁ , ବୟସ୍କ ଏବଂ ଅସୁସ୍ଥ ଲୋକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସେମାନଙ୍କର ଯତ୍ନ ନେବା ସହ ଦିନ ୧୧ ଟାରୁ ୩ ଟା ମଧ୍ୟରେ ବାହାରକୁ ଯାଉଥିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
