ଆଇପିଏଲ୍-୨୦୨୨ : ବାଙ୍ଗାଲୋରକୁ ୯ ଓ୍ଵିକେଟରେ ହରାଇଲା ହାଇଦ୍ରାବାଦ
ମୁମ୍ବାଇ : ଆଇପିଏଲ୍-୨୦୨୨ର ୩୬ତମ ମୁକାବିଲାରେ ଶନିବାର ସବୁଠୁ ସହଜ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ। ବୋଲରଙ୍କ ଘାତକ ବୋଲିଂ ବଳରେ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ଓ୍ଵିକେଟରେ ପରାସ୍ତ କରିଛି। ଏହା ସହିତ ଦଳ କ୍ରମାଗତ ପଞ୍ଚମ ବିଜୟ ହାସଲ କରି ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ୨କୁ ଉଠିଛି। ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରୁଥିବା ବାଙ୍ଗାଲୋର ଆଜିର ମ୍ୟାଚରେ ଦୟନୀୟ ବ୍ୟାଟିଂ କରିଥିଲା। ଦଳର ବ୍ୟାଟସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିଲେ। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬ ଓଭରରେ ମାତ୍ର ୬୮ ରନରେ ଅଲଆଉଟ୍ ହୋଇଥିଲା। ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ କରିଥିଲେ। ବାଙ୍ଗାଲୋର ଦ୍ଵାରା ଧାର୍ଯ୍ୟ ୬୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ହାଇଦ୍ରବାଦ ୮ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୪୭ ରନ କରି ଏକ ମାତ୍ର ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଛନ୍ତି। କେନ ଓ୍ଵିଲିୟମସନ ୧୬ ରନ କରି ଅପରାଜିତ ଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଚଳିତ ଆଇପିଏଲରେ ପ୍ରଥମ ଥର ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ। ବେଙ୍ଗାଲୁରୁ ୧୬ ଓଭରରେ ୬୮ ରନରେ ଅଲଆଉଟ୍ ହୋଇଛି। ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜନସେନ ୨୫ ରନ ଦେଇ ୩ଟି, ଟି ନଟରାଜ ୧୦ ରନ ଦେଇ ୩, ଜଗଦୀଶ ସୁଚିତ ସୁଚିତ ୨ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦର ଦୁଇ ଓପନର ଦମଦାର ବ୍ୟାଟିଂ କରିଥିଲେ। ଚିରାଚରିତ ଶୈଳୀରେ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୭.୨ ଓଭରରେ ୬୪ ରନ ଯୋଡିଥିଲେ।। ଅଭିଷେକ ଶର୍ମା ୨୮ ବଲରୁ ୮ ଚୌକା ଏବଂ ୧ ଛକା ସହ ୪୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ କେନ ଓ୍ଵିଲିୟମସନ ୧୬ ରନ ଏବଂ ରାହୁଲ ତ୍ରିପାଠୀ ୭ ରନରେ ଅପରାଜିତ ଥିଲେ। ଏଥିସହ ହାଇଦ୍ରାବାଦ ୮ ଓଭରରେ ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
