ସିଜନର ସର୍ବନିମ୍ନ ସ୍କୋର କଲା ବାଙ୍ଗାଲୋର, ହାଇଦ୍ରାବାଦ ୬୮ ରନର ଟାର୍ଗେଟ
ମୁମ୍ବାଇ: ଆଇପିଏଲ-୨୦୨୨ର ୩୬ତମ ମୁକାବିଲାରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । ଏହି ମ୍ୟାଚ୍ରେ ହାଇଦ୍ରାବାଦ ବୋଲିଂ ଆଗରେ ବାଙ୍ଗାଲୋରର ଖେଳାଳି ଆତ୍ମ ସମର୍ପଣ କରିଦେଇଛନ୍ତି । ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬.୧ ଓଭରରେ ମାତ୍ର ୬୮ ରନରେ ଅଲଆଉଟ୍ ହୋଇଛି। ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ କରିଛନ୍ତି। ମାର୍କୋ ଜନସେନ ୩ ଏବଂ ଟ ନଟରାଜନ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଚଳିତ ଆଇପିଏଲରେ ପ୍ରଥମ ଥର ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ। ବେଙ୍ଗାଲୁରୁ ୧୬.୧ ଓଭରରେ ୬୮ ରନରେ ଅଲଆଉଟ୍ ହୋଇଛି। ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜନସେନ ୨୫ ରନ ଦେଇ ୩ଟି, ଟି ନଟରାଜ ୧୦ ରନ ଦେଇ ୩, ଜଗଦୀଶ ସୁଚିତ ସୁଚିତ ୨ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।
