ଆଇପିଏଲ-୨୦୨୨ : କୋଲକାତାକୁ ୮ ରନରେ ହରାଇଲା ଗୁଜୁରାଟ
ମୁମ୍ବାଇ : ମୁମ୍ବାଇର ଡି.ଓ୍ବାଇ.ପାଟିଲ ଷ୍ଟାଡିୟମ ଠାରେ ଚାଲିଥିବା ଆଇପିଏଲ୨୦୨୨ର ୩୫ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୮ ରନରେ ହରାଇଲା ଗୁଜୁରାଟ ଟାଇଟନ୍ସ । ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେକାର ହୋଇଛି। ଗୁଜରାଟ ସାତ ମ୍ୟାଚରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ କୋଲକାତା ଅଷ୍ଟମ ମ୍ୟାଚରୁ ପଞ୍ଚମ ପରାଜୟବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ କୋଲକାତା ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ୪୮ ରନ ସତ୍ତ୍ଵେ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଛି।। ପ୍ରଥମେ ବୋଲିଂରେ ଆନ୍ଦ୍ରେ ରସଲେ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ପୁଣି ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିଜୟୀ କରି ପାରି ନାହାନ୍ତି। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ଏବଂ ରଶିଦ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ସତ୍ତ୍ଵେ ଗୁଜରାଟ ବଡ ସ୍କୋର କରି ପାରିନାହିଁ। ଶେଷ ଓଭରରେ ଗୁଜରାଟ ୪ ଓ୍ଵିକେଟ୍ ହରାଇବା ଦଳକୁ ମହଙ୍ଗା ପଡିପାରେ। ଡେଭିଡ୍ ମିଲର ୨୭ ରନ କରିଥିବା ବେଳେ ଋଦ୍ଧିମାନ ଶାହ ୨୫ ରନ କରିଥିଲେ। କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି। ଦଳୀୟ ସ୍କୋର ୮ ରନରେ ଶୁଭମାନ ଗିଲ୍(୭) ଆଉଟ୍ ହେବା ପରେ ଋଦ୍ଧିମାନ ଶାହ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସକୁ ଆଗକୁ ବଢାଇଥଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ରେ ୭୫ ରନ ଯୋଡିଥିଲେ। ଶାହା ୨୫ ରନ କରି ଆଉଟ୍ ହେବା ପରେ ପୁଣି ହାର୍ଦ୍ଦିକ ଏବଂ ମିଲରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ମିଲର ୨୭ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ଵ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ହାର୍ଦ୍ଦିକଙ୍କ ବିଦାୟ ପରେ ଦିଗହରା ହୋଇ ପଡିଥିଲା ଗୁଜରାଟ ଇନିଂସ। ହାର୍ଦ୍ଦିକ ୪୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୬୭ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଅଭିନବ ମନୋହର ୨ରନ, ରାହୁଲ ତେଓ୍ବାତିଆ ୧୭ରନ କରିଥିବାବ ବେଳେ ଲୁକି ଫର୍ଗ୍ୟୁସନ୍, ୟସ୍ ଦୟାଲ ଏବଂ ରାସିଦ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଅଲଜାରୀ ଜୋସେଫ୍ ୧ରନ କରି ଅପରାଜିତ ଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି୨୪ ରନ ଦେଇ ୩ଟି ସଫଳତା ପାଇଛନ୍ତି।

୧୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଓପନର ସାମ୍ ବିଲିଙ୍ଗସ୍ ମାତ୍ର ୪ ରନ କରି ଆଉଟ ହୋଇଥିବା ବେଳେ, ସୁନୀଲ ନାରିନ୍ ୫ ରନ୍ ପୁଣି ଫେଲ ମାରିଥିଲେ । ଅଧିନାୟକ ଶ୍ରେୟସ ଆୟର ୧୨ରନ କରି ଆଉଟ ହୋଇଥିବା ବେଳେ, ନୀତିଶ ରାଣା ୨ ରନ କରି ପାଭିଲିୟନ ଫେରିଥିଲେ। ୩୪ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଦଳ ପକ୍ଷରୁ ରିଙ୍କୁ ସିଂହ ୩୫ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭେଙ୍କଟେଶ ଆୟର ୧୭ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଶେଷ ଆଡକୁ ଆନ୍ଦ୍ରେ ରସେଲ ହିଁ କୋଲକାତାର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ସେ ବିସ୍ଫୋରଣ ବ୍ୟାଟିଂ କରି ୨୫ ବଲରୁ ୧ ଚୌକା ଏବଂ ୬ଟି ଛକା ସହାୟତାରେ ୪୮ରନ କରି ଆଉଟ ହୋଇଥିଲେ । ତାଙ୍କ ଆଉଟ୍ ପରେ କୋଲକାତାର ବିଜୟ ଆଶା ମଉଳି ଯାଇଥିଲା। ଉମେଶ ଯାଦବ ୧୫ ରନ ଏବଂ ଟିମ ସାଉଦି ୧ରନ କରି ଅପରାଜିତ ଥିଲେ। ଦଳ ୮ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୨୦ ରନ ଦେଇ ୨ଟି ଏବଂ ରଶିଦ ଖାନ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇ କୋଲକାତାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ୟଶ ଦୟାଲ ୨, ଲୋକି ଫର୍ଗ୍ୟୁସନ ଏବଂ ଅଲଜାରି ଯୋଶେଫ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
