ଆଇପିଏଲ୍-୨୦୨୨ : ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ କୋଲକାତା
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ଶନିବାର ୩୫ତମ ଲିଗ୍ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଏହା ପୂର୍ବରୁ ଟସ ଜିତି ଗୁଜୁରାଟ ଅଧିନାୟକ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲିଂ କରିବ କୋଲକାତା । ଗୁଜୁରାଟ ବିଜୟଧାରା ଜାରି ରଖି ଟେବୁଲ୍ ଟପ୍ପର ହେବାର ଲକ୍ଷ୍ୟ ରଖିଛି । ସେହିପରି କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହୋଇ ସାରିଥିବା କୋଲକାତା ପାଇଁ ବିଜୟ ଜରୁରି ହୋଇ ପଡ଼ିଛି । ତେଣୁ ଆଜିର ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
୫ ଦିନର ବିଶ୍ରାମ ପରେ ଗୁଜୁରାଟ ଦଳ ପଡିଆକୁ ଓହ୍ଲାଇବ । ଇତି ମଧ୍ୟରେ ୬ଟି ମ୍ୟାଚ୍ ଖେଳି ଟାଇଟନ୍ସ ୫ ବିଜୟ ସହ ମୋଟ୍ ୧୦ ପଏଣ୍ଟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ତ୍ୱାଧୀନ ଟାଇଟନ୍ସକୁ ହରାଇବା ଅନ୍ୟ ସବୁ ଦଳ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ନାଇଟ୍ ରାଇଡର୍ସ ଚମତ୍କାର ପ୍ରଦର୍ଶନ କରୁଥିଲେ ହେଁ ବିଜୟ ପଥ ସଂଘର୍ଷପୂର୍ଣ୍ଣ ହୋଇଛି । ଇତି ମଧ୍ୟରେ ନାଇଟ ରାଇଡର୍ସ ୭ଟି ମ୍ୟାଚ୍ ଖେଳି ୩ଟି ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ନାଇଟ ରାଇଡର୍ସ ସପ୍ତମ ସ୍ଥାନରେ ରହିଛି ।
ଆଜିର ମ୍ୟାଚ୍ ପୂର୍ବରୁ ନାଇଟ ରାଇଡର୍ସ ଡେଭିଡ୍ ମିଲରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ସୁପରକିଙ୍ଗ୍ସ ବିପକ୍ଷରେ ମିଲର ଅପରାଜିତ ୯୧ ରନ୍ର ଇନିଂସ ଖେଳି ଟାଇଟନ୍ସକୁ ବିଜୟୀ କରାଇଥିଲେ । ମିଲର ଫର୍ମକୁ ଫେରିବା ପ୍ରତ୍ୟେକ ଦଳ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ । ମାଂସ ପେଶୀରେ ଯନ୍ତ୍ରଣା ଯୋଗୁ ପାଣ୍ଡ୍ୟା ପୂର୍ବ ମ୍ୟାଚ୍ ଖେଳିପାରି ନଥିଲେ । ୫ ଦିନର ବିଶ୍ରାମ ପରେ ସେ ଫିଟ୍ ହୋଇସାରିଛନ୍ତି । ପାଣ୍ଡ୍ୟା ଦଳର ନେତୃତ୍ୱ ନେବା ଏକ ପ୍ରକାର ନିଶ୍ଚିତ । ନାଇଟ୍ ରାଇଡର୍ସ ପକ୍ଷରୁ ଶ୍ରେୟାସ ଆୟରଙ୍କ ଉପରେ ନଜର ରହିବ । ଫର୍ମରେ ରହିଥିବା ଆୟର ମ୍ୟାଚ୍ ବିଜୟୀ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଆଜିର ମ୍ୟାଚ୍ରେ ରସିଦ ଖାନ୍ ୧୦୦ ଆଇପିଏଲ୍ ୱିକେଟ୍ କ୍ଲବ୍ରେ ସାମିଲ ହୋଇପାରନ୍ତି । ସେ ଇତି ମଧ୍ୟରେ ୯୯ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଆଇପିଏଲ୍ରେ ମିଲର ୯୯, ନିତିଶ ରାଣା ୯୮ ଓ ଆୟର ୯୪ଟି ଛକା ମାରି ସାରିଛନ୍ତି । ୩ଜଣଙ୍କ ପାଇଁ ୧୦୦ ଛକା କ୍ଲବ୍ରେ ସାମିଲ ହେବାର ସୁଯୋଗ ରହିଛି ।
