ରିଲିଜ୍ ହେଲା ଜର୍ସି, ଫିଲ୍ମ ଦେଖି ସାହିଦଙ୍କୁ ପ୍ରଶଂସା କଲେ ପତ୍ନୀ
ମୁମ୍ବାଇ : ରିଲିଜ୍ ହୋଇଛି ସାହିଦ କପୁରଙ୍କ ଅଭିନିତ ଫିଲ୍ମ ‘ଜର୍ସି’ । ଫିଲ୍ମଟି ଗୌତମ ଟିନ୍ନାନୁରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ସମାନ ଟାଇଟଲର ୨୦୧୯ ତେଲୁଗୁ ଚଳଚ୍ଚିତ୍ରର ‘ଜର୍ସି’ର ହିନ୍ଦୀ ରିମେକ୍ ଅଟେ । ଫିଲ୍ମରେ ରହିଛି ସ୍ପୋଟର୍ସ ଡ୍ରାମାର କାହାଣୀ । ସାହିଦଙ୍କ ସହ ମୁଖ୍ୟ ଭୂମିକାରେ ରହିଛନ୍ତି ମୃନାଲ ଠାକୁର । ଫିଲ୍ମର ରଲିଜ୍ ଡେଟ୍ ଅନେକ ଥର ବଦଳିବା ପରେ ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହୋଇଛି ଫିଲ୍ମ । ତେବେ ରିଲିଜ୍ ହେବା ପରେ ଏବେ ସାହିଦଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ବଲିଉଡର ସବୁ ଷ୍ଟାର ମାନେ ସାହିଦ ଏବଂ ମୃନାଲଙ୍କୁ ଏବେ ଶୁଭେଚ୍ଛା ଜଣାଉଛନ୍ତି ।
ତେବେ ଫିଲ୍ମ ରିଲିଜ୍ ହେବାର ପୂର୍ବ ଦିନ ନିର୍ମାତା ଏକ ଷ୍ଟାର-ଷ୍ଟୁଡେଡ୍ ସ୍କ୍ରିନିଂର ଆୟୋଜନ କରିଥିଲେ। ଯେଉଁଥିରେ ସାହିଦଙ୍କ ପତ୍ନୀ ମୀରାଙ୍କ ସମେତ ଅନେକ ବଲିଉଡ୍ ସେଲିବ୍ରିଟି ଉପସ୍ଥିତ ଥିଲେ। ଫିଲ୍ମ ଦେଖିବା ପରେ ମୀରା ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି। ନିଜର ଭାବନା ପ୍ରକାଶ କରି ଇନଷ୍ଟାଗ୍ରାମ ଷ୍ଟୋରୀରେ ସାହିଦଙ୍କ ପାଇଁ ଏକ ଖାସ ନୋଟ୍ ମଧ୍ୟ ସେୟାର କରିଛନ୍ତି ମୀରା । କବୀର ସିଂର ସଫଳତା ପରେ ଏବେ ପୁଣି ଏକ ରିମେକ ଫିଲ୍ମରେ ନଜର ଆସିଛନ୍ତି ସାହିଦ । କବୀର ସିଂ ର ବଡ଼ ସଫଳତା ମିଳିବା ପରେ ଜର୍ସିକୁ ନେଇ ବି ସେ ଉତ୍ସାହିତ ରହିଛନ୍ତି । କିନ୍ତୁ ସାଉଥ ଫିଲ୍ମ କେଜିଏଫ-୨ କାରଣରୁ ଜର୍ସିର କଳେକ୍ସନ ଭଲ ପ୍ରଦର୍ଶନ କରି ନପାରେ ବୋଲି ଏବେ ଚର୍ଚ୍ଚା ହେଉଛି । ସାହିଦଙ୍କ ଫିଲ୍ମକୁ ସେତେଟା ସଫଳତା ମିଳିବ ନାହିଁ ବୋଲି କିଛି ସିନେ ସମୀକ୍ଷକ ପ୍ରକାଶ କରିଛନ୍ତି ।
