ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର
କୋରାପୁଟ : କୋରାପୁଟ ଜିଲା ଦାମନଯୋଡ଼ି ଥାନା ଅଞ୍ଚଳରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦ୍ବୟ ହେଲେ ଝଡିଗୁଡା ଗାଁର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ । ଗୁରୁତରଙ୍କୁ ଉଦ୍ଧାର କରାଯାଏ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଖବରପାଇ ଦାମନଜୋଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ବଚସା ହୋଇଥିଲା । ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗାଁର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗାଁର ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଆକ୍ରମଣକାରୀମାନେ କୌଣସି ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିବା ଯୋଗୁ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ସୋମନାଥ ଦାମି ବିଶାଖାପାଟଣା ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ଅଧିକାରୀ ଗୌରହରି ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କିଛି ଲୋକଙ୍କୁ ଅଟକ ରଖିଥିବା ସୂଚନା ରହିଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ସୂଚନା ରହିଛି।
