କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନାର ଅବଧି ଆଉ ୧୮୦ ଦିନ ବଢ଼ିଲା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟ ସ୍ୱଜନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଯୋଜନାର ଅବଧି ସମ୍ପ୍ରସାରଣ ଲାଗି ନିଷ୍ପତି ନିଆଯାଇଛି । ଏ ସଂକ୍ରାନ୍ତରେ ୧୯ ଏପ୍ରିଲ ୨୦୨୨ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ)/ ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ)/ ସଚିବ (ସ୍ୱାସ୍ଥ୍ୟ)ମାନଙ୍କୁ ଏକ ପତ୍ର ଲେଖାଯାଇଛି । ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ବୀମା ଯୋଜନାର ଅବଧି ସମ୍ପ୍ରସାରଣ ସମ୍ପର୍କରେ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଏହି ପତ୍ରରେ ପରାମର୍ଶ ଦିଆଯାଇଛି ।
ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପିଏମଜିକେପି ବୀମା ଯୋଜନା ୩୦ ମାର୍ଚ୍ଚ ୨୦୨୦ରେ ଆରମ୍ଭ କରାଯାଇଥିଲା । କୋଭିଡ-୧୯ ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କୁ ଚିକିତ୍ସା କରୁଥିବା ସରକାରୀ ସ୍ୱାସ୍ଥ୍ୟ କର୍ମୀ ଏବଂ ଘରୋଇ ସ୍ୱାସ୍ଥ୍ୟ କର୍ମୀ ଏହି ରୋଗ ଦ୍ୱାରା ପ୍ରଭାବିତ ହେଲେ ସେମାନଙ୍କୁ ବୀମା ଯୋଜନାର ଲାଭ ମିଳିପାରିବ । ଦେଶର ୨୨.୧୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଯୋଜନାରେ ୫୦ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଆହୁରି, ବିଶେଷ ପରିସ୍ଥିତିରେ, ରାଜ୍ୟ/କେନ୍ଦ୍ର ସରକାରଙ୍କ ଡାକ୍ତରଖାନା, ରାଜ୍ୟ/କେନ୍ଦ୍ର/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସ୍ୱୟଂଶାସିତ ଡାକ୍ତରଖାନା/ ଏମ୍ସ ଓ ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନ (ଆଇଏନଆଇ)/କେନ୍ଦ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଡାକ୍ତରଖାନା ଦ୍ୱାରା କୋଭିଡ-୧୯ ଚିକିତ୍ସା ପାଇଁ ଆବଶ୍ୟକତା ଅନୁଯାୟୀ ନିୟୋଜିତ ହୋଇଥିବା ଘରୋଇ ଡାକ୍ତରଖାନାର କର୍ମଚାରୀ/ଅବସରପ୍ରାପ୍ତ/ସ୍ୱେଚ୍ଛାସେବୀ/ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ/ଚୁକ୍ତିଭିତିକ/ଦିନ ମଜୁରି/ଆଡହକ/ଆଉଟସୋର୍ସରେ ରହିଥିବା କର୍ମଚାରୀଙ୍କୁ ମଧ୍ୟ ପିଏମଜିକେପି ବୀମା ଯୋଜନାର ଲାଭ ମିଳିପାରିବ । ଏହି ଯୋଜନା ଆରମ୍ଭ ହେବା ପରଠାରୁ, ଏବେ ସୁଦ୍ଧା ୧୯୦୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୀମା ସହାୟତା ଯୋଗାଇ ଦିଆଯାଇଛି । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ପ୍ରାଣ ହରାଇଥିବା ଏହିସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରଜନଙ୍କୁ ବୀମା ସୁରକ୍ଷା ଅର୍ଥ ମିଳିଛି ।
