ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ବିସ୍ଫୋରଣ, ବଦଳିଲା ୩୨ତମ ମ୍ୟାଚ୍ ଆୟୋଜନ ସ୍ଥଳ
ନୂଆଦିଲ୍ଲୀ : ଆଇପିଏଲ-୨୦୨୨ର ବାୟୋ ବବଲକୁ ଭେଦ କରି ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ବିସ୍ଫୋରଣ ହୋଇଛି। ଦଳର ୫ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ସଦସ୍ୟଙ୍କ ମଧ୍ୟରେ ପାଟ୍ରିକ ଫରହାର୍ଟ(ଫିଜିଓ), ଚେତନ କୁମାର(ମାସାଜ ଥେରାପିଷ୍ଟ), ମିଚେଲ୍ ମାର୍ଶ(ଖେଳାଳି), ଅଭିଜିତ୍ ସାଲଭି(ଡାକ୍ତର) ଓ ଆକାଶ ମାଣେ(ସୋସିଆଲ ମିଡିଆ ଟିମ୍)। ଏହି ୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ବିସିସିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏପ୍ରିଲ ୨୦ରେ ପୁଣେରେ ଖେଳାଯିବାକୁ ଥିବା ମ୍ୟାଚ୍ର ଆୟୋଜନ ସ୍ଥଳକୁ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ ସ୍ଥାନାନ୍ତର କରାଯାଇଛି।
NEWS ?: CCI – Brabourne to host Delhi Capitals vs. Punjab Kings on April 20th.
— IndianPremierLeague (@IPL) April 19, 2022
Details – https://t.co/8zPLVsS7qJ #TATAIPL pic.twitter.com/yGqEaHfycT
ବିସିସିଆଇ ମଙ୍ଗଳବାର ଆଇପିଏଲର ୩୨ତମ ମ୍ୟାଚ୍ର ଆୟୋଜନ ସ୍ଥଳ ବଦଳାଯାଇଥିବା ଘୋଷଣା କରିଛି। ଏପ୍ରିଲ ୨୦ରେ ଦିଲ୍ଲୀ ଏବଂ ପଞ୍ଜାବ ମଧ୍ୟରେ ପୁନେର ଏମସିଏ ଷ୍ଟାଡିୟମରେ ଖେଳାଯିବାର ଥିଲା। କରୋନା ପ୍ରକୋପରୁ ଦୂରେଇ ରହିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ଗ୍ରହଣ କରିଛି। ସମସ୍ତ ପଜିଟିଭ୍ ସଦସ୍ୟଙ୍କୁ ଆଇସୋଲେସନରେ ନିରୀକ୍ଷଣରେ ରଖାଯାଇଛି। ଆଇସୋଲେସନର ଷଷ୍ଠ ଏବଂ ସପ୍ତମ ଦିନ ସଭିଙ୍କ ଟେଷ୍ଟ କରାଯିବ। ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏପ୍ରିଲ ୧୬ ତାରିଖ ପରଠୁ ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ସଦସ୍ୟଙ୍କ ପ୍ରତିଦିନ ଆରଟି ପିସିଆର ଟେଷ୍ଟ କରାଯାଉଛି। ଏପ୍ରିଲ ୧୯ରେ ଚତୁର୍ଥ ରାଉଣ୍ଡ ଟେଷ୍ଟ କରାଯାଇଛି। ଏଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ପୁଣି ଏପ୍ରିଲ ୨୦ ସକାଳେ ପୂରାଦଳର କରୋନା ଟେଷ୍ଟ କରାଯିବ।
