କାବୁଲରେ ସିରିଜ୍ ବିସ୍ଫୋରଣ, ୭ ମୃତ
କାବୁଲ: ଏଥର ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସିଛି ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ। ଲଗାତର ଆତଙ୍କୀ ହମଲାର ଶିକାର ହେଉଥିବା ଆଫଗାନିସ୍ତାନରେ ମଙ୍ଗଳବାର ସିରିଜ ବିସ୍ଫୋରଣ ହୋଇଛି। ରାଜଧାନୀ କାବୁଲର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।
ମିଡିଆ ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳେ ରାଜଧାନୀ କାବୁଲର ହାଜାରା ଅଞ୍ଚଳର ଏକ ଟ୍ରେନିଂ ସ୍କୁଲ ନିକଟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ଏହା ପରେ କାବୁଲ ପଞ୍ଚିମାଞ୍ଚଳସ୍ଥିତ ଅବଦୁଲ ରାମ ରହିମ ସାହିଦ ହାଇସ୍କୁଲ ବାହାରେ ବିସ୍ଫୋରଣ ହୋଇଛି। ଏହି ଦୁଇଟି ଶିକ୍ଷାନୁଷ୍ଠାନ ବାହାରେ ଏକାଧିକ ହ୍ୟାଣ୍ଡ ଗ୍ରାନେଡ ମାଡ କରାଯାଇଛି। ଛାତ୍ରଛାତ୍ରୀମାନେ ସକାଳୁଆ କ୍ଲାସ ସାରି ଫେରୁଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। କାବୁଲ ସିରିଜ ବିସ୍ଫୋରଣରେ ୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଛାତ୍ର ଥିବା କୁହାଯାଉଛି। ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ଅଧିକ ସଂଖ୍ୟାଲଘୁ ସିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ପୂର୍ବରୁ ଆଇଏସଆଇଏସ ଅନେକ ଥର ସିଆ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରିଛି। ତେବେ ମଙ୍ଗଳବାର ଆକ୍ରମଣ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ।
ସେପଟେ ଆଫଗାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ କରିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ହତାହତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ। ସେପଟେ ଆଫଗାନିସ୍ତାର ତାଲିବାନ ସରକାର ଏହି ହମଲା ପାଇଁ ବିଦ୍ରୋହୀ ଆତଙ୍କୀ ସଙ୍ଗଠନକୁ ଦୋଷାରୋପ କରିଛି। ନିକଟ ଭବିଷ୍ୟତରେ ଏଭଳି ଅନେକ ହମଲା ପାଇଁ ISISର ISIL ନିଜକୁ ଦାୟୀ କରିଛି।
