ଦିଲ୍ଲୀର ୩ ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ, ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ଆନୁଷ୍ଠାନିକ ମିଶ୍ରଣ ହୋଇଛି । ଏବେ ଏହାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ କୁହାଯିବ । ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ଆଇନ, ୨୦୨୧ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଏବେ ଦିଲ୍ଲୀରେ ତିନିଜଣଙ୍କ ବଦଳରେ କେବଳ ଜଣେ ମେୟର ରହିବେ। ସଂସଦର ଗତ ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ଏହି ତିନି ନଗର ନିଗମକୁ ମିଶାଇ ଗୋଟିଏ କର୍ପୋରେସନ କରିବା ପାଇଁ ଏକ ବିଲ୍ ଆଗତ କରିଥିଲେ । ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି ସଂସ୍ଥା – ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍, ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ଏବଂ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ କରିବା ଯାହାକୁ ବର୍ତ୍ତମାନ ଦିଲ୍ଲୀର ମ୍ୟୁନିସିପାଲ୍ କର୍ପୋରେସନ୍ କୁହାଯିବ । ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନର ନିର୍ବାଚନ ଏବେ ହେବ ନାହିଁ । ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି ନୂଆ ନିଗମର କାର୍ଯ୍ୟ ସମ୍ଭାଳିବା ପାଇଁ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିବେ ।
