ବିଶ୍ୱକୁ ସତର୍କ କଲେ ଜେଲେନସ୍କି ! ୟୁକ୍ରେନ ସୀମା ନିକଟରେ ଉଡୁଛି ଋଷର ୪ଟି ଆଣବିକ ବିସ୍ଫୋରଣକାରୀ ଯୁଦ୍ଧ ବିମାନ
ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୫୫ ଦିନ ପୁରିଛି। ଏତେ ଦିନ ଧରି ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସହର ଧ୍ୱଂସ ହୋଇଛି, କିନ୍ତୁ ଉଭୟ ପକ୍ଷ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଋଷ ଯୁଦ୍ଧ ମଧ୍ୟରେ ପରମାଣୁ ଆକ୍ରମଣ କରିପାରେ ବୋଲି ଆମେରିକା, ବ୍ରିଟେନ ଦାବି କରିଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭାଲୋଦିମିର ଜେଲେନସ୍କି ବିଶ୍ୱକୁ ଚେତାବନୀ ଦେଇଛନ୍ତି ଯେ, ଋଷର ଚାରିଟି ଆଣବିକ ବିସ୍ଫୋରଣକାରୀ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟରେ ଉଡୁଥିବାର ଦେଖାଯାଇଛି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ମାନବଜାତୀ ପାଇଁ ଖରାପ ପରିସ୍ଥିତି ଆସିଛି। ଋଷ ଯେକୌଣସି ସମୟରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ, ତେଣୁ ବିକିରଣ ବିରୋଧୀ ଔଷଧ ପାଇଁ ବିଶ୍ୱ ପ୍ରସ୍ତୁତ ହେବା ଉଚିତ୍। ଜେଲେନସ୍କି ତାଙ୍କ ମତ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, କେବଳ ମୁଁ ନୁହେଁ ସମଗ୍ର ବିଶ୍ୱ ଏହି ଆକ୍ରମଣକୁ ନେଇ ଚିନ୍ତିତ ହେବା ଉଚିତ। ଏହା ପ୍ରକୃତ ସୂଚନା ହୋଇନପାରେ, କିନ୍ତୁ ଏହା ସତ ହୋଇପାରେ।
ନିକଟରେ ଜଣେ ଏଏଫପି ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଜେଲେନସ୍କି କହିଛନ୍ତି ଯେ, ଋଷର ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଅପେକ୍ଷା କରିବା ଉଚିତ୍ ନୁହେଁ। ଏହି ସଙ୍କଟ ପାଇଁ ଆମେ ଆଗରୁ ପ୍ରସ୍ତୁତ ହେବା ଉଚିତ୍। ସେ ଯେକୌଣସି ଅସ୍ତ୍ର ବ୍ୟବହାର କରିପାରିବ, ମୁଁ ଏହା ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ ଅଛି। ସେ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକରୁ ରକ୍ଷା ପାଇବା ପାଇଁ ଆଣ୍ଟି-ରେଡିଏସନ ଔଷଧ ଏବଂ ଆଶ୍ରୟସ୍ଥଳ ଆବଶ୍ୟକ ହେବ। ଋଷର ସୈନ୍ୟମାନେ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ଅନେକ ସହର ଧ୍ୱଂସ ହୋଇଯାଇଛି। ଏବେ ୟୁକ୍ରେନର ସାମରିକ ପ୍ରତିଷ୍ଠାନ ଓ ଅସ୍ତ୍ରାଗାର ଉପରେ ଋଷ ଆକ୍ରମଣ କରୁଛି। ରବିବାର ରାତିରେ ୟୁକ୍ରେନର ୧୬ଟି ସାମରିକ ପ୍ରତିଷ୍ଠାନକୁ ଋଷ ଧ୍ୱଂସ କରିଛି। ଏହାର ଜବାବ ଦେବାକୁ ଭାଲୋଦିମିର ଜେଲେନସ୍କି ଏକ ବଡ ଯୋଜନା କରିଛନ୍ତି। ଆସନ୍ତା ୨୩ ତାରିଖରେ ଋଷ ଉପରେ ୟୁକ୍ରେନ ଏକ ବୃ ହମଲା କରିପାରେ ବୋଲି ସୂଚନା ମିଳିଛି। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଯେ କେବଳ ୟୁକ୍ରେନ କ୍ଷତି ସହିଛି ତାହା ନୁହେଁ, ଋଷ ମଧ୍ୟ ବିପୁଳ ପରିମାଣର କ୍ଷତି ସହିଛି। ଏହି ଯୁଦ୍ଧରେ ଋଷ ତାର ସୈନିକଙ୍କ ସହ ବିପୁଳ ପରିମାଣର ଯୁଦ୍ଧାସ୍ତ୍ର ମଧ୍ୟ ହରାଇଛି। ୟୁକ୍ରେନ ଭିତ୍ତିକି ସମ୍ବାଦପତ୍ର କୀଭ୍ ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁସାରେ ଏହି ଯୁଦ୍ଧରେ ୧୯ ହଜାର ୯୦୦ ଋଷ ସୈନିକଙ୍କ ମୃତ୍ୟୁ ହୋଇଛି। ଋଷ ୧୬୦ ଯୁଦ୍ଧ ବିମାନ, ୧୪୪ ହେଲିକ୍ୟାପ୍ଟର, ୭୫୩ ଟ୍ୟାଙ୍କ ହରାଇଛି।
ଯୁଦ୍ଧରେ ୟୁକ୍ରେନ ସୈନିକମାନେ ଋଷ ସେନା ବ୍ୟବହାର କରୁଥିବା ୩୬୬ ତୋପ, ୧୯୬୮ ସାଞ୍ଜୁଆ ଗାଡ଼ି, ଚାରୋଟି ମୋବାଇଲ SRBM System, ୧୨୨ Multiple Rocket Launcher Sytem, ୧୪୩୭ ସୈନ୍ୟ ଗାଡ଼ିକୁ ନଷ୍ଟ କରିଛି। କେବଳ ଏତିକି ନୁହେଁ ଋଷ ୭୬ Fuel Tank, ୧୩୪ ଡ୍ରୋନ, ୬୪ Anti Air craft War fare, ୨୫ Special Equipment ମଧ୍ୟ ହରାଇଛି। ଏହା ବ୍ୟତୀତ ଗତ ଗୁରୁବାର ୟୁକ୍ରେନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଋଷୀୟ ଯୁଦ୍ଧ ମସ୍କୋବା କୃଷ୍ଣ ସାଗରରେ ବୁଡ଼ି ଯାଇଛି।
