ଆଇପିଏଲ-୨୦୨୨ : କୋଲକାତାକୁ ୭ ରନରେ ହରାଇଲା ରାଜସ୍ଥାନ
ମୁମ୍ବାଇ : ଆଇପିଏଲ-୨୦୨୨ର ୩୦ତମ ମ୍ୟାଚ୍ରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଥିଲା । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ । ଜୋସ ବଟଲରଙ୍କ ଶତକ ପରେ ୟୁଜବେନ୍ଦ୍ର ଚହଲଙ୍କ ହ୍ୟାଟ୍ରିକ ସହ ୫ ଓ୍ଵିକେଟ୍ ଦଖଲ ଯୋଗୁଁ କୋଲକାତା ନାଇଟ୍ ରାଇଡର୍ସକୁ ୭ ରନରେ ହରାଇଲା ରାଜସ୍ଥାନ । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉନ୍ନିତ ହୋଇଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ୭ଟି ମ୍ୟାଚ୍ରୁ ଚତୁର୍ଥ ପରାଜୟ ଭୋଗିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପାଇଁ ବଟଲର ଓ ଦେବଦତ୍ତ ପାଡିକ୍କଲ ବିସ୍ଫୋରକ ଆରମ୍ଭ କରିଥିଲେ। ଏପରି କି ଉଭୟ ପାୱର ପ୍ଲେ(ପ୍ରଥମ ୬ ଓଭର)ରେ ଦଳ ପାଇଁ ୬୦ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ମଧ୍ୟ ଉଭୟ ଅଟକି ନଥିଲେ। ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୯୭ ରନ୍ରେ ପହଞ୍ଚାଥିଲେ। ବିଶେଷ କରି ବଟଲରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲେ। ତେବେ ଏତିକି ବେଳେ ପାଡିକ୍କଲ ୨୪ ରନ୍ କରି ସୁନୀଲ ନାରିନଙ୍କ ବଲରେ ଆଉଟ ହୋଇଯାଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ମଧ୍ୟ ବଡ଼ ଶଟ ଖେଳିଥିଲେ। ସେ ବଟଲରଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୫ ଓଭର ସୁଦ୍ଧା ୧୬୦ ପାର କରାଇଥିଲେ। ଏହି ସମୟରେ ୧୯ ବଲରେ ୩୮ ରନ୍ କରିଥିବା ସାମସନଙ୍କୁ ଆନ୍ଦ୍ରେ ରସଲେ ଆଉଟ କରି ଦେଇଥିଲେ। ତେବେ ବଟଲର ୫୯ ବଲରେ ନିଜର ଶତକ ପୂରଣ କରି ଦଳକୁ ୨୦୦ ରନର ନିକଟବର୍ତ୍ତୀ କରିଥିଲେ। ଶତକ ପରେ ସେ ବଡ଼ ଶଟ ଖେଳିବା ଲୋଭରେ କମିନ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୬୧ ବଲରେ ୧୦୩ ରନ୍ର ଇନିଂସ ଖେଳିଥିବା ବଟଲର ୫ଟି ଛକା ଓ ୯ଟି ଚୌକା ମାରିଛନ୍ତି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଦ୍ୱିତୀୟ ଶତକ। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ମଧ୍ୟ ଶତକ ହାସଲ କରିଥିଲା। ବଟଲର ଆଉଟ ହେବା ପରେ ରାଜସ୍ଥାନର ରନ୍ ସଂଗ୍ରହ ହାର ସାମାନ୍ୟ ଧିମା ହୋଇଯାଇଥିଲା। ପ୍ରଥମେ ରିୟାନ ପରାଗ(୫) ଓ ପରେ କରୁନ ନାଏର(୩) ଆଉଟ ହୋଇଥିଲେ। ଶେଷ ଭାଗରେ ଶିମରନ ହେଟମେୟର କିଛି ବଡ଼ ଶଟ ଖେଳିବାରୁ ରାଜସ୍ଥାନ ୨୧୭ ରନ୍ କରିବାକୁ ସକ୍ଷମ ହୋଇଛି। ହେଟମେୟର ଶେଷ ଯାଏ ୧୩ ବଲରେ ୨୬ ରନ୍ କରି ଅପରାଜିତ ରହିଥିଲେ। ତାଙ୍କ ସହ ରବି ଅଶ୍ୱିନ ମଧ୍ୟ ୧ ବଲରେ ୧ ରନ୍ କରି ଓଭର ଶେଷ ଯାଏ କ୍ରିଜ୍ରେ ରହିଥିଲେ। ହେଟମେୟର ତାଙ୍କ ଇନିଂସରେ ୨ଟି ଛକା ଓ ୨ଟି ଚୌକା ମାରିଛନ୍ତି। କୋଲକାତା ପକ୍ଷରୁ ସୁନୀଲ ନାରିନ ୨ଟି ୱିକେଟ ନେଇଥିବା ବେଳେ ଶିବମ ମାଭି ୧,ପାଟ କମିନ୍ସ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।
୨୧୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାକୁ ପ୍ରଥମ ବଲ୍ରେ ହିଁ ଝଟକା ଲାଗିଥିଲା। ସୁନିଲ ନାରିନେ(୦) ରନ ଆଉଟ୍ ହୋଇଥିଲେ। ତେବେ ଆରୋନ ଫିଞ୍ଚ ଏବଂ ଶ୍ରେୟସ ଆୟର ମୋର୍ଚ୍ଚା ସମ୍ଭାଳିଥିଲେ। କିଛି ବଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ୯ ଓଭରରେ ୧୦୭ ରନ ଯୋଡିଥିଲେ। ଫିଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ୨୮ ବଲରୁ ୯ ଚୌକା ଏବଂ ୨ ଛକା ଜରିଆରେ ୫୮ ରନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୪୮ ରନରେ କୋଲକାତା ଲାଗ ଲାଗ ୨ଟି ଓ୍ଵିକେଟ୍ ହରାଇଥିଲା। ନୀତିଶ ରାଣା(୧୮)ରେ ଆଉଟ୍ ହୋଇଥିବା ବେଳେ ରସେଲ(୦)ଙ୍କୁ ଅଶ୍ଵିନ ପ୍ରଥମ ବଲ୍ରେ ବୋଲ୍ଡ କରିଥିଲେ। ଅନ୍ୟପଟେ ଅଧିନାୟକ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଭେଙ୍କଟେଶ ଆୟର(୬) ପୁଣି ଥରେ ଫ୍ଲପ୍ ହୋଇଥିଲେ। ତେବେ ୧୭ତମ ଓଭରରେ ଚହଲ ହ୍ୟାଟ୍ରିକ ଓ୍ଵିକେଟ୍ ନେଇ ମ୍ୟାଚର ମଙ୍ଗକୁ ରାଜସ୍ଥାନ ଆଡକୁ ମୋଡିଥିଲେ। ଶ୍ରେୟସ ଆୟରଙ୍କୁ ଆଉଟ୍ କରି ୟୁଜବେନ୍ଦ୍ର ଚହଲ ରାଜସ୍ଥାନକୁ ବହୁତ ବଡ ସଫଳତା ଦେଇଥିଲେ। ଶ୍ରେୟସ ୫୧ ବଲରୁ ୭ ଚୌକା ଏବଂ ୪ ଛକା ସହ ୮୫ ରନର ଦମଦାର ଇନିଂସ ଖେଳିଥିଲେ। ପୁଣି ଶିବମ ମାଭି(୦) ଏବଂ ପାଟ୍ କମିନ୍ସ(୦)ଙ୍କୁ ଆଉଟ୍ କରି ଚଳିତ ଆଇପିଏଲରେ ପ୍ରଥମ ହ୍ୟାଟ୍ରିକ ପୂରଣ କରିଥିଲେ। ତେବେ ଶେଷ ଆଡକୁ ଉମେଶ ଯାଦବ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚର ରୋମାଞ୍ଚ ବଢାଇଥିଲେ। ଯାଦବ ୧୮ତମ ଓଭରରେ ଟ୍ରେଣ୍ଟ ବୋଲ୍ଡଙ୍କୁ ନିର୍ଘାତ ପ୍ରହାର କରି ୨୦ ରନ ସଂଗ୍ରହ କରି କୋଲକାତା ବିଜୟ ଆଶାକୁ ଉଜ୍ଜିବୀତ ରଖିଥିଲେ। ତେବେ ଶେଷ ଓଭରରେ ଜିତିବାକୁ ୧୧ ରନ ଥିଲେ ମଧ୍ୟ କୋଲକାତା ୧୯.୪ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଛି। ଉମେଶ ଯାଦବ ୯ ବଲରୁ ୨୧ ରନ କରି ଶେଷ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଏଥିସହ ରାଜସ୍ଥାନ ରୟାଲ୍ସ ରୋମାଞ୍ଚକର ମୁକାବିଲାକୁ ୭ ରନରେ ଜିତି ନେଇଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ ଓ୍ଵିକେଟ୍ ସହ ୪୦ ରନ ଦେଇ ୫ ସଫଲତା ହାସଲ କରିଛନ୍ତି। ଓବେଡ ମାକକୟ ୪୧ ରନ ଦେଇ ୨ଟି ଓ୍ଵିକେଟ୍ ହାସଲ କରିଥିଲେ।
