ଆଇପିଏଲ୍-୨୦୨୨ : ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ରାଜସ୍ଥାନ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୩୦ତମ ମୁକାବିଲାରେ ସୋମବାର ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ଫଳରେ ଏହି ମ୍ୟାଚ୍ରେ କେକେଆର ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପ୍ ୪ରେ ରହିବାକୁ ଚେଷ୍ଟା କରିବ।
କୋଲକାତା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ଅମନ ଖାନଙ୍କ ସ୍ଥାନରେ ଶିବମ ମାଭିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରାଜସ୍ଥାନର ଚୂଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରାଯାଇଛି। କରୁଣ ନାୟର, ଅବେଡ ମାକକୟ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ୍ କରାଯାଇଛି। ରଶି ଭାନ ଡର ଡସେନ, କୁଲଦୀପ ସେନ ଏବଂ ନିଶାମ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଗତ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦଳର ବୋଲିଂ ଦୁର୍ବଳ ରହିଥିଲା। ଦଳର ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସିଜିନ ଏ ଯାଏଁ ନିରାଶଜନକ ରହିଛି। ଦଳର ଏହି ଟ୍ରମ୍ପ କାର୍ଡକୁ ନିଜର କମାଲ ଦେଖାଇବାକୁ ପଡିବ। ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷାର କଡି ହେବ।
ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚ୍ରେ ଗୁଜରାଟ ଟାଟଇନ୍ସ ବିପକ୍ଷରେ ପରାଜିତ ହୋଇଥିଲା। ଦଳ ୩୭ ରନରେ ଉକ୍ତ ମ୍ୟାଚ୍ ହାରିଥିଲା। ଜୋସ୍ ବଟଲରଙ୍କୁ ବାଦ୍ ଦେଲେ ରୟାଲ୍ସର ବାକି ବ୍ୟାଟସମ୍ୟାନ ନିରାଶ କରିଛନ୍ତି। ଯଦି ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକ ପଡେ ତେବେ ସଞ୍ଜୁ ସାମସନ ସହିତ ବାକି ବ୍ୟାଟସମ୍ୟାନଙ୍କୁ ରନ କରିବାକୁ ପଡିବ।
କୋଲକାତା ନାଇଟ୍ ରାଇଡର୍ସ ଚୂଡାନ୍ତ ଏକାଦଶ :-
ଆରୋନ ଫିଞ୍ଚ୍, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ଶେଲଡନ ଜ୍ୟାକସନ, ନୀତିଶ ରାଣା, ଆନ୍ଦ୍ରେ ରସେଲ, ପାଟ୍ କମିନ୍ସ, ସୁନିଲ ନାରିନେ, ଶିମବ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ରାଜସ୍ଥାନ ରୟାଲ୍ସ ଚୂଡାନ୍ତ ଏକାଦଶ :-
ଜୋସ୍ ବଟଲର, ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ(ଅଧିନାୟକ), କରୁଣ ନାୟ, ସିମରନ ହେଟମାୟର, ରିୟାନ ପରାଗ, ଆର ଅଶ୍ଵିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ, ଓବେଡ ମାକକୟ।
