ଭୁବନେଶ୍ବରରେ ଏକଜୁଟ ହେଲେ ଡ୍ରାଇଭର୍, ନବୀନ ନିବାସ ଘେରାଉ
ଭୁବନେଶ୍ବର : ଆଜି ଭୁବନେଶ୍ବରରେ ବିଭିନ୍ନ ଦାବିପୂରଣ ପାଇଁ ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଉଛି। ଡ୍ରାଇଭମାନେ ରାଲିରେ ଯାଇ ନବୀନ ନିବାସ ଘେରାଉ କରିବେ ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସୋମବାର ଭୋରରୁ ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଭୁବନେଶ୍ବରରେ ପହଞ୍ଚି ଥିବାବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକତ୍ରୀତ ହୋଇଛନ୍ତି। ଏତେ ସଂଖ୍ୟକ ଡ୍ରାଇଭରଙ୍କ ସମାଗମରୁ ଭୁବନେଶ୍ବରର ରାସ୍ତାଘାଟଗୁଡ଼ିକ ଜାମ୍ ହୋଇଯିବା ଆଶଙ୍କା ଦେଖାଦେଇଛି। ରସୁଲଗଡ଼, ବାଣୀବିହାର, ରାଜମହଲ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ରାସ୍ତା ଜାମ୍ ହୋଇଛି।
ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଡ୍ରାଇଭରଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ ଦାବି କରିଛି। ସେହିପରି ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ୫୫ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି। ଏଥିସହ ଡ୍ରାଇଭର ଆବାସ ଯୋଜନାରେ ଗୃହନିର୍ମାଣ, ଡ୍ରାଇଭରଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବାକୁ ମଧ୍ୟ ସଂଘ ଦାବି କରିଛି। ସୂଚନା ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏହାପରେ ୨୦୨୧ ଅକ୍ଟୋବରରେ ଡ୍ରାଇଭରମାନେ ଏହି ସବୁ ଦାବିରେ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବା ସହ ନବୀନ ନିବାସ ଘେରିବାକୁ ପଦଯାତ୍ରା କରିଥିଲେ। ଏ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ବରରେ ପୁଣି ଶକ୍ତି ପ୍ରଦର୍ଶନ କରୁଛି ଓଡିଶା ଡ୍ରାଇଭର ମହାସଂଘ।
