ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦ ଛାଡିଲେ ଜୋ ରୁଟ୍
ନୂଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ପଦ ଛାଡିଲେ ଜୋ ରୁଟ୍। ପ୍ରଥମେ ଭାରତୀୟ ଦଳ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ୧-୨ରେ ହାରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ସିରିଜରେ ୦-୪ରେ ଲଜ୍ଜାଜନକ ପରାଜୟ ଏବଂ ନିକଟରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୦-୧ରେ ସିରିଜ୍ ହାରିବା ପରେ ଜୋ ରୁଟ୍ଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ଏଥିରେ ତାଙ୍କ ନେତୃତ୍ଵ ଉପରେ କୌଣସି ଦୋଷ ନଥିଲା। କାରଣ ଦଳର ବାକି ଖେଳାଳି ମଧ୍ୟ ପ୍ରଦର୍ଶନ କରି ପାରିନଥିଲେ।
ତେବେ ଜୋ ରୁଟ୍ ଅଧିନାୟକ ପଦ ଛାଡିବା ପରେ ଏବେ ତାଙ୍କ ସ୍ଥାନ ନେବା ପାଇଁ ଦୌଡରେ ତିନି ଜଣ ଖେଳାଳି ରହିଛନ୍ତି। ଇଂଲଣ୍ଡ ପାଇଁ ଟେଷ୍ଟ ଦଳର ନେତୃତ୍ଵ ନେବା ବହୁତ ବଡ କଥା। ଜୋ ରୁଟ୍ଙ୍କ ପରେ ଦଳରେ ଏମିତି କିଛି ବଛା ବଛା ଖେଳାଳି ରହିଛନ୍ତି, ଯେଉଁମାନେ ଇଂଲଣ୍ଡ ଟେଷ୍ଟ ଦଳର ନେତୃତ୍ଵ ନେବାକୁ ଯୋଗ୍ୟ। କିନ୍ତୁ ସେମାନଙ୍କର ପ୍ରଦର୍ଶନ ମଧ୍ୟ ଗତ କିଛି ଦିନରେ ନୈରାଶ୍ୟଜନକ ରହିଛି। ଏହି କାରଣରୁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଅର୍ଥାତ ଇସିବି ପାଇଁ ଅଧିନାୟକ ପଦ ଚୟନ କରିବା ମୁସ୍କିଲ ହୋଇ ପଡିଛି। ତେବେ ଇସିବିର ଇଚ୍ଛା ଜଣେ ବରିଷ୍ଠ ଖେଳାଳିଙ୍କୁ ଅଧିନାୟକ ପଦ ଦିଆଯାଉ। ଏମିତିରେ ତିନି ଜଣ ଖେଳାଳି ଅଛନ୍ତି, ଯେଉଁଥିରେ ବେନ ଷ୍ଟୋକ୍ସଙ୍କ ନାମ ରହିଛି। ଇଂଲଣ୍ଡର ଦିଗ୍ଜ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆହତ ଏବଂ ମାନସିକ ଉତ୍ତେଜନାରୁ ସୁସ୍ଥ ହେବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହେଲେ ସେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏପରିକି ସେ ବର୍ତ୍ତମାନ ବି ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଯଦି ସେ ଆଗାମୀ ସିରିଜ୍ ପୂର୍ବରୁ ଫିଟ୍ ହୋଇ ଯାଆନ୍ତି ତେବେ ତାଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇପାରେ। ସେ ଇଂଲଣ୍ଡ ପକ୍ଷରୁ ୭୯ ଟେଷ୍ଟ ମ୍ୟାଚ୍ ଖେଳି ୧୧ ଶତକ ସହ ୫୦୬୧ ରନ କରିଛନ୍ତି। ଜଣେ ବୋଲର ହିସାବରେ ଷ୍ଟୋକ୍ସ ୧୭୪ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଟେଷ୍ଟ ଦଳର ଉପ ଅଧିନାୟକ ମଧ୍ୟ ଅଛନ୍ତି। ତେଣୁ ସେ ଅଧିନାୟକ ଦୌଡରେ ସର୍ବାଗ୍ରେ ରହିଛନ୍ତି। ଏହି ଦୌଡରେ ଅଛନ୍ତି ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଜୋନି ବେୟାରଷ୍ଟୋ। ସେ ଇଂଲଣ୍ଡ ପାଇଁ ୮୩ଟି ଟେଷ୍ଟ ମ୍ୟାଚ୍ ଖେଳି ୮ ଶତକ ସହ ୪୮୦୧ ରନ କରିଛନ୍ତି। ବେୟାରଷ୍ଟୋଙ୍କ ବ୍ୟତୀତ ଏହି ତାଲିକାରେ ତୃତୀୟ ନାମ ହେଉଛି ଜୋସ ବଟଲର। ଯିଏ ଟେଷ୍ଟ ଦଳରୁ ସାମିଲ୍ ହେଉଛନ୍ତି ଏବଂ ବାଦ୍ ପଡୁଛନ୍ତି। ତଥାପି ସେ ଅଧିନାୟକ ଦୌଡରେ ରହିଛନ୍ତି। କାରଣ ସେ ସୀମିତ ଓଭର କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଟେଷ୍ଟ କ୍ରିକେଟ୍ରେ ୫୭ଟି ଟେଷ୍ଟରୁ ମାତ୍ର ସେ ଦୁଇଟି ଶତକ ହାସଲ କରିଛନ୍ତି।
