ଫେଲ୍ ମାରିଲା ବାଇକ୍ ଆମ୍ବୁଲାନ୍ସ ଯୋଜନା; ଭାରରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ହେଲା ପ୍ରସବ
ବନ୍ଧୁଗାଁ : କୋରାପୁଟ ଜିଲା ବନ୍ଧୁଗାଁରେ ଫେଲ୍ ମାରିଛି ସରକାରଙ୍କ ବାଇକ୍ ଆମ୍ବୁଲାନ୍ସ ଯୋଜନା । ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ସହ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଆଣିବା ପାଇଁ ଗତବର୍ଷ ଆରମ୍ଭ ହୋଇଥିଲା ବାଇକ୍ ଆମ୍ବୁଲାନ୍ସ ସେବା । କିନ୍ତୁ ତାହା କାମରେ ଆସିଲାନି । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିଲାନି । ଗାଁ ଠାରୁ ତିନି କିଲୋମିଟର ଦୁରରେ ଅଟକି ରହିଥିଲା ୧୦୨ ଆମ୍ବୁଲାନ୍ସ। କାରଣ ଗାଁକୁ ପକ୍କା ରାସ୍ତା ନଥିଲା । ଫଳରେ ଗର୍ଭବତୀଙ୍କୁ ପରିବାର ଲୋକେ ୩ କିଲୋମିଟର କାନ୍ଧରେ ଭାର କରି ନେଇଥିଲେ । ଏପରି ଦୁଃଖର ଘଟଣା ବନ୍ଧୁଗାଁ ବ୍ଲକ ଜାଗୁଗୁଡା ଗାଁ ଲୋ ଦେର୍କାରୁ ଆସିଛି ।
ଗାଁର ଆମ୍ବାନା ମେଲେକାଙ୍କ ସ୍ତ୍ରୀ ସୁଶାନ୍ତି ପିଡିକା ସକାଳୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ଖବର ଗାଁ ଆଶାଦିଦି କୁ କହିବାରୁ ଆଶା ଦିଦି ୧୦୨ କୁ ଫୋନ କରିଥିଲେ । ବନ୍ଧୁଗାଁକୁ ନାରାୟଣପାଟଣାରୁ ଆମ୍ବୁଲାନ୍ସ ଯାଇଥିଲା ଆଣିବାକୁ । କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ଅଧବାଟରେ ଅଟକିଯାଇଥିଲା ଆମ୍ବୁଲାନ୍ସ। ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଭାର ଦ୍ୱାରା କାନ୍ଧ ରେ ବୋହି ଆଣିଲେ । କିନ୍ତୁ ଆସିବା ସମ୍ଭବ ନହେବାରୁ ଅଧ ରାସ୍ତାର ଏକ ଗଛ ମୂଳେ ପ୍ରସବ କରିଥିଲେ । ଆଶା ଦିଦି ଏବଂ ଆମ୍ବୁଲାନ୍ସ କର୍ମଚାରୀ ସହଯୋଗରେ ଗଛ ମୂଳରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ପରେ ମାଁ ଏବଂ ଶିଶୁ କନ୍ୟାକୁ ଆମ୍ବୁଲାନ୍ସ ରେ ବନ୍ଧୁଗାଁ ମେଡିକାଲ ନେଇ ଚିକିତ୍ସା କରାଯାଉଛି। ଉଭୟ ମା ଏବଂ ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।
