ପାକିସ୍ତାନ ରାଜନୀତି ସରଗରମ ! ଇମ୍ରାନଙ୍କୁ ସମର୍ଥନ କରି ବିଶାଳ ରାଲି
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହେବା ପରେ ଏବେ ପାକିସ୍ତାନ ରାଜନୀତି ସରଗରମ ହୋଇଛି । ଆପଣଙ୍କୁ କହିରଖୁଛୁ ଯେ ଇମ୍ରାନଙ୍କୁ ସମର୍ଥନ କରି ପାକିସ୍ତାନରେ ବିଶାଳ ରାଲି ଦେଖିବାକୁ ମିଳିଛି । ଜନ ସମାବେଶରେ ପୂରି ଉଠିଛି ସଂପୂର୍ଣ୍ଣ ପାକିସ୍ତାନର ରାଜରାସ୍ତା । ଅନ୍ୟ ଦେଶର ଷଡ଼ଜନ୍ତ୍ର ପାଇଁ କ୍ଷମତାରୁ ବଞ୍ଚିତ ହୋଇଥିବା ଟ୍ୱିଟ୍ କରିଛନ୍ତି ଇମ୍ରାନ । ଅନ୍ୟ ପକ୍ଷେ ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦେଶର ସରକାର ଭାବେ ଗାଦିରେ ବସାଇବା ପାଇଁ ରାଜି ନୁହଁନ୍ତି ପାକିସ୍ତାନ ବାସୀ ।
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବରେ ଗାଦିଚ୍ୟୁତ ହେଲେ ପ୍ରଧାନମନ୍ତ୍ରୀ । ପିଟିଆଇର ପିଟିଆଇର ଅଧ୍ୟକ୍ଷ ଇମ୍ରାନ୍ ହଟିଲେ ଗାଦିରୁ । ଏପରି କ୍ଷମତାଚ୍ୟୁତକୁ ବିରୋଧ କରି ଲାହୋର ଲିବର୍ଟି ଛକରେ ପାକିସ୍ତାନ ତେହେରିକ୍-ଏ-ଇନସଫା (ପିଟିଆଇ)ର ବହୁ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରବିବାର ରାତି ୯ଟାରୁ ଆରମ୍ଭ ହୋଇ ସୋମବାର ଭୋର୍ ୩ଟା ଯାଏ ଚାଲିଥିଲା ଏହି ରାଲି । ଏହି ରାଲିରେ ସୁବବର୍ଗର ଲୋକେ ସାମିଲ ହୋଇ ଏକତା ପ୍ରଦର୍ଶନ କରିଥିଲେ। ଇସଲାମାବାଦ, କରାଚିରୁ ଆରମ୍ଭ କରି ପାକିସ୍ତାନର ସମସ୍ତ ଜିଲ୍ଲାରେ ଏପରି ବିଶାଳ ସମାବେଶ ଦେଖିବାକୁ ମିଳିଛି । ଇମ୍ରାନ ଖାନଙ୍କ ଆହ୍ୱାନ କ୍ରମେ ଅନେକ ଘଣ୍ଟା ଧରି ଏପରି ସମାବେଶ ହୋଇଥିଲା । କ୍ଷମତାଚ୍ୟୁତ ହେବା ପରେ ଇମ୍ରାନ ଖାନ୍ ଟ୍ୱିଟ୍ କରି କହିଥିଲେ ଯେ, ପାକିସ୍ତାନରେ ଶାସନ ପରିବର୍ତ୍ତନ ପଛରେ ରହିଛି ବିଦେଶୀ ଷଡଯନ୍ତ୍ର । ଏବେ ଏକ ଆମଦାନୀ ସରକାର ଆସିଛି । ଏପରି ହେବା ଦ୍ୱାରା ପାକିସ୍ତାନରେ ପୁଣିଥରେ ଏକ ସ୍ୱାଧୀନତା ସଂଗ୍ରାମର ଆରମ୍ଭ ହୋଇଛି । ନିଜ ସମର୍ଥକଙ୍କୁ ଉତ୍ସାହିତ କରିବାକୁ ଯାଇ ସେ ଏପରି କହିଛନ୍ତି। ଅନ୍ୟ ଏକ ଟ୍ୱିଟରେ, ଇମ୍ରାନ ଲାହୋର ରାଲିକୁ ଆକାଶମାର୍ଗରୁ ଦେଖିବା ସହ ଏତେ ବଡ଼ ଜନସମାଗମ ସେ କେବେ ଦେଖିନଥିବା କହିଛନ୍ତି ।
ପିଟିଆଇର ସ୍ଥାନୀୟ ନେତୃତ୍ୱ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଇମ୍ରାନଙ୍କ ସମର୍ଥକମାନେ ଆମେରିକା ସହିତ ନୂଆ ସରକାର ବିରୋଧରେ ସ୍ଲୋଗାନ୍ ଦେଇଥିଲେ । ପାକିସ୍ତାନ ମୁସଲିମ ଲିଗ୍-ନବାଜ ସଭାପତି ତଥା ଆଗାମୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ମଧ୍ୟ ସ୍ଲୋଗାନ୍ ଦେଉଥିବାର ଶୁଣିବାକୁ ମିଳିଛି । ବିକ୍ଷୋଭକାରୀଙ୍କ ହାତରେ ଥିବା ଅଧିକାଂଶ ପ୍ଲାକାର୍ଡରେ ଲେଖାଥିଲା “ଆମଦାନୀ ହୋଇଥିବା ସରକାର ଗ୍ରହଣୀୟ ନୁହେଁ” । ସୋମବାର ସକାଳ ସୁଦ୍ଧା ୨.୭ ମିଲିୟନରୁ ଅଧିକ ଟୁଇଟ୍ ସହିତ ପାକିସ୍ତାନ ଟ୍ୱିଟରରେ ଟପ୍ ଟ୍ରେଣ୍ଡରେ ଥିଲା। ବିଦେଶୀ ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଇମ୍ରାନଙ୍କ ସମର୍ଥନରେ ଏତେ ଲୋକ ରାସ୍ତାକୁ ଓହ୍ଲାଇ ଥିବାରୁ ପିଟିଆଇ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।
