ଜଉକଣ୍ଢେଇ ବାହାଘର ପାଇଁ ବାଜିଲା ଶୁଭଧ୍ୱନି : ୨୨ରେ ଲଗ୍ନଧରା ଓ ୨୬ରେ ବାହାଘର
ବାଲେଶ୍ୱର : ବାଲେଶ୍ୱରର ଲୁପ୍ତସୁପ୍ତ ପ୍ରାୟ ଲୋକକଳା ଜଉକଣ୍ଢେଇକୁ ପୁନଃରୁଦ୍ଧାର କରି ଲୋକାଦୃତ କରିବା ଲକ୍ଷ୍ୟରେ ଦୁଇ ଦଶନ୍ଧି ଧରି ବାଲେଶ୍ୱରର କଳାସଂସ୍କୃତି ସଚେତକ ଓ ପ୍ରେମୀମାନେ ପ୍ରୟାସ ଆରମ୍ଭ କରିଥିବା ବେଳେ ୨୦୧୧ରୁ ବିଧିବଦ୍ଧ ଭାବରେ ପାରମ୍ପାରିକ ରୀତିରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଜଉକଣ୍ଢେଇ ବାହାଘର ଧୂମ୍ଧାମ୍ରେ ପାଳନ କରିଆସୁଛନ୍ତି । ଗତ କରୋନା କାଳରେ ମଧ୍ୟ ବିଧି ରକ୍ଷା କରାଯାଇ ପ୍ରତୀକାତ୍ମକ ଭାବେ ଜଉକଣ୍ଢେଇ ବାହାଘର ପାଳନ କରାଯାଇଥିଲା ।
କମିଟିର ପିକା ଅନୁସାରେ ଦୋଳ ପୂର୍ଣ୍ଣିମା ଅବସରରେ କମିଟି ତରଫରୁ ଚଳିତବର୍ଷର ବର କନିଆ ଜଉକଣ୍ଢେଇର ନାମ ଜୟଦେବ ଓ ପଦ୍ମାବତୀ ଘୋଷଣା କରାଯାଇଥିଲା । ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀରାମ ନବମୀ ଅବସରରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ୱାରା ଜୟଦେବ ଓ ପଦ୍ମାବତୀ ବର କନିଆ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ ବାମପଦାସ୍ଥ ନୋସି ଉତ୍କଳା ମୁକ୍ତମଞ୍ଚରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ ହୋଇଯାଇଛି । ଉତ୍ସବରେ ଆବାହକ ଶିଳ୍ପୀ କେଶୁଦାସ କର୍ମକର୍ତ୍ତାମାନଙ୍କୁ ମଞ୍ଚାହ୍ୱାନ କରିଥିବା ବେଳେ ପୌରହିତ୍ୱ କରି କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ଏହି ଜଉକଣ୍ଢେଇ ବାହାଘରକୁ ଓଡ଼ିଶାର ଜଉ କଳା, ସଂସ୍କୃତି, ଶିଳ୍ପ, ବାଣିଜ୍ୟ, କୃଷି ଓ ଉତ୍ପାଦନର ଏକ ସାଂସ୍କୃତିକ ଆନ୍ଦୋଳନ ବୋଲି କହିଥିଲେ । ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସହ-ସମ୍ପାଦକ ନିରଞ୍ଜନ ଗିରି ବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ଗୁପ୍ତ ପ୍ରୟାଗ ତ୍ରିବେଣି ତୀର୍ଥରୁ ବିଧି ମୁତାବକ ପୂଜା କରି ପବିତ୍ର ମାଟି ଓ ପାଣି ଆଣି ଜଉକଣ୍ଢେଇ ନିର୍ମାଣ ପାଇଁ ପ୍ରଦାନ କରି କହିଥିଲେ କି ଜଉକଣ୍ଢେଇ ବାହାଘର କେବଳ ଜଉ କଳା ସଂସ୍କୃତି ନୁହଁ ବରଂ ବାଲେଶ୍ୱରର ବହୁ ଲୁପ୍ତ ସୁପ୍ତ ଓ ଗୁପ୍ତ ପ୍ରଥା ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛି ଏବଂ ଏପ୍ରିଲ ୨୨ ରବିବାରରେ ଜଉକଣ୍ଢେଇ ପଦ୍ମାବତୀର ତ୍ରିବେଣିରେ ନୌବିହାର ପାଇଁ ଆମନ୍ତ୍ରଣ ଦେଲେ । କମିଟିର ସମ୍ପାଦକ ଡ. କୁମାର ଗୋପାଲ ବିଗତ ବର୍ଷର ସଫଳତା ବିବରଣୀ ଦେବା ସହ ଏପ୍ରିଲ ୨୨ ତାରିଖ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା ଓ ଏପ୍ରିଲ ୨୬ ରେ ଜଉକଣ୍ଢେଇ ବାହାଘର ଆୟୋଜନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ଓ ମାୟା ନାୟକ ପବିତ୍ର ମାଟି ଓ ପାଣି ନେଇ ଆନୁଷ୍ଠାନିକ ଭାବେ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ କରିଥିବା ବେଳେ ଫୁଲମଣୀ ସୋରେନ, ଭାନୁମତୀ ସାହୁ, ସମବାରୀ ସୋରେନ, ମିନତୀ ମାରାଣ୍ଡି ପ୍ରମୁଖ ଜଉକଣ୍ଢେଇ ଶିଳ୍ପୀ ସହଯୋଗ କରିଥିଲେ । ପ୍ରାରମ୍ଭରେ ଯୁବ କଣ୍ଠଶିଳ୍ପୀ ସନ୍ତୋଷ ବିଶ୍ୱାଳ ସଂଗୀତ ପରିବେଷଣ କରିଥିବା କୁମାର ସମୁ, କୁମାର ଅଭିଶେକ ଓ କୁମାର କାର୍ତିକ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ, କାଳିକଙ୍କର ଦାସ, ସୁରେଶ ପାଣିଗ୍ରାହୀ, ସ୍ମାରକ ଦାଶ, ମନୋସ୍ୱିନୀ ଦେବୀ, ଅନିତା ରଥ, ଅର୍ଚ୍ଚନା ରଥ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲା ବେଳେ ରାଜେଶ ଗିରି ଧନ୍ୟବାଦ ପ୍ରଦାନ କରିଥିଲେ ।
