ଆଇପିଏଲ-୨୦୨୨ ତୃତୀୟ ବିଜୟ ସହ ଟେବୁଲ ଶୀର୍ଷରେ ରାଜସ୍ଥାନ
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୨ର ଚଳିତ ସଂସ୍କରଣରେ ରବିବାର ୨୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୩ ରନ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ୍ କରିଥିଲା। ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୬୨ ରନ୍ରେ ସୀମିତ ରହିଥିଲା। ଫଳରେ ତୃତୀୟ ବିଜୟ ସହ ରାଜସ୍ଥାନ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି।
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ପ୍ରମାଣ କରିଥିଲେ ବୋଲର। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ୍ରେ ଅଟକି ଯାଇଥିଲା। ଫଳରେ ଲକ୍ଷ୍ନୌ ଆଗରେ ବିଜୟ ପାଇଁ ୧୬୬ ରନ୍ର ଟାଗେର୍ଟ ରଖିଥିଲା ରାଜସ୍ଥାନ। ହେଲେ ଲକ୍ଷ୍ନୌ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଲକ୍ଷ୍ନୌ ୨୦ ଓଭରରେ ୮ ଉଇକେଟ ହରାଇ ୧୬୨ ରନ୍ କରିଥିଲା। ୟୁଜବେନ୍ଦ୍ର ଚହଲ ୪ ଉଇକେଟ ନେଇ ରାଜସ୍ଥାନକୁ ବିଜୟ କରାଇଥିଲେ। ଟ୍ରେଣ୍ଟ ବୋଲ୍ଟ ୨ ଉଇକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ସେନ୍ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
