କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଆଜି ନିର୍ବାଚନ
ନୂଆଦିଲ୍ଲୀ : ଇମ୍ରାନଙ୍କ ପରେ କିଏ ହେବ ପାକିସ୍ତାନର ପ୍ରଧାନମନ୍ତ୍ରୀ ? ଆଜି ପାକ ନ୍ୟାସନାଲ ବିଧାନସଭାରେ ହେବ ନୂଆ ପିଏମ ନିର୍ବାଚନ । ଦୀର୍ଘ ଏକ ମାସ ଧରି ରାଜନୈତିକ ଅସ୍ଥିରତା ପରେ ସୋମବାର ପାକିସ୍ତାନକୁ ମିଳିପାରେ ନୂଆ ସରକାର । ନୂଆ ପ୍ରଧାନମନ୍ତ୍ରୀ ପାଇଁ ନ୍ୟାଶନାଲ ଆସେମ୍ବଲୀ ବା ସଂସଦରେ ନିର୍ବାଚନ ହେବ। ଦିନ ୨ଟା ସମୟରେ ପାକିସ୍ତାନର ନାସନାଲ୍ ଆସେମ୍ବଲୀରେ ପ୍ରଧାନମନ୍ତ୍ରୀ ପଦ ପାଇଁ ହେବ ନିର୍ବାଚନ ।
ଏହା ପୂର୍ବରୁ ଇମ୍ରାନଙ୍କ ସମର୍ଥନରେ ରାସ୍ତାକୁ ବାହାରିଛନ୍ତି ଜନତା । ଶହଶହ ସଂଖ୍ୟାରେ ଲୋକେ ଇମ୍ରାନଙ୍କ ସମର୍ଥନରେ ବାହାରିଛନ୍ତି । ଇମ୍ରାନ ପୁଣି ସତ୍ତାକୁ ଆସନ୍ତୁ ବୋଲି ନାରା ଶୁଣିବାକୁ ମିଳିଛି । ଆମେ କ୍ୟାପଟେନ ପଛରେ ଅଛୁ ବୋଲି ଲୋକଙ୍କ ନାରା । ଇସଲାମବାଦ, କରାଚି, ପେଶାଓ୍ଵର ଓ ଲାହୋରରେ ମଧ୍ୟ ବିରାଟ ରାଲି ଦେଖିବାକୁ ମିଳିଛି । ଇମ୍ରାନ ହଟିବା ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶେହବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ-ନୱାଜ ପାର୍ଟି ପକ୍ଷରୁ ଶାହବାଜ ସରିଫ ଏବଂ ଇମ୍ରାନଙ୍କ ପିଟିଆଇ ପକ୍ଷରୁ ଶାହ ମହମ୍ମଦ କ୍ୟୁରେଶୀ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ବିରୋଧୀ ଦଳ ଶାହବାଜଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି । ଆଜି ଦିନ ୨ଟାରେ ପାକିସ୍ତାନର ନୂଆ ପିଏମ କିଏ ହେବ ତାହା ଜଣାପଡିବ । ତେବେ ଶାହବାଜଙ୍କ ବିରୋଧରେ ମାମଲା ଚାଲୁଥିବାରୁ ତାଙ୍କ ନୋମିନେସନ ଉପରେ ଆପତ୍ତି ଉଠାଇଛି ପିଟିଆଇ । ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ବିଧାନସଭାରେ ସରକାର ଗଠନ ପାଇଁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର ।
ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ସରକାର ଗଢିବାକୁ ସଜବାଜ ହେଉଛନ୍ତି ଶାହବାଜ । ସରକାରରେ ଆସିଫ ଅଲ୍ଲି ଜର୍ଦ୍ଦାରୀ ଏବଂ ବିଲାବଲ୍ ଭୁଟ୍ଟୋଙ୍କୁ ଗୁରୁ ଦାୟିତ୍ବ ମିଳିପାରେ। ସରକାରରେ ସାମିଲ ହେବାକୁ ଥିବା ଆଉ ଏକ ବଡ଼ ଚେହେରା ହେଉଛନ୍ତି ମୌଲାନା ଫଜଲୁର ରହମାନ। ବିଭିନ୍ନ ରାଜନୈତିକ ଦଳର ବଡ଼ ଚେହେରାଙ୍କୁ ଏକାଠି କରି ସରକାର ଗଢିବାକୁ ପ୍ରସ୍ତୁତି କରୁଛନ୍ତି ଶାହାବାଜ୍। ଆହୁରି ମଧ୍ୟ ସେନାର ସମର୍ଥନ ରହିଛି ଶାହାବାଜ୍ ଙ୍କ ପଛରେ, ତେବେ ଚାଲେଞ୍ଜ କିଛି କମ ନୁହେଁ। ପ୍ରଧାନମନ୍ତ୍ରୀ ଦାୟିତ୍ବ ନନେଉଣୁ କାଶ୍ମୀର ରାଗ ଗାଇବା ଆରମ୍ଭ କରି ଦେଇଛନ୍ତି ଶାହବାଜ ସରିଫ । କାଶ୍ମୀର ସମସ୍ୟାର ସମାଧାନ ନହେଲେ ଶାନ୍ତି ସମ୍ଭବ ନୁହେଁ ବୋଲି ଶାହାବାଜ କହିଛନ୍ତି । ତେଣୁ ପାକିସ୍ତାନର ନୂଆ ସରକାର ଉପରେ ଭାରତର ନଜର ରହିଛି। ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ବ୍ୟାପାର ସମ୍ପର୍କ କିଭଳି ରହିବ ତାହା ଉପରେ ଭାରତ ନଜର ରଖିଛି ।
