ଜମିକୁ ବଳପୂର୍ବକ ଜବରଦଖଲ ! ଇଚ୍ଛା ମୃତ୍ୟୁ ମାଗିଲେ ଗୋଟିଏ ପରିବାରର ୧୧ ସଦସ୍ୟ
ଗ୍ୱାଲିୟର : ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା ଘାଟିଗାଁ ତହସିଲ ଅନ୍ତର୍ଗତ ବୀରାବଳୀ ଗାଁରେ ରହୁଥିବା ଏକ ପରିବାରର ୧୧ ଜଣ ସଦସ୍ୟ ଇଚ୍ଛା ମୃତ୍ୟୁ ଦାବି କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାଁରେ ଏକ ପତ୍ର ଲେଖି ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଏହି ଦାବି ପତ୍ର ଦେଇଛନ୍ତି । ଏହି ପରିବାରର ଅଭିଯୋଗ ଯେ, ଜିତେନ୍ଦ୍ର ଅଗ୍ରୱାଲ ଓ ବିଜୟ କାକୱାନୀ ନାମକ ୨ ଜଣ ଲୋକ ତାଙ୍କର ଜମିକୁ ବଳପୂର୍ବକ ଜବରଦଖଲ କରୁଛନ୍ତି ।
ପରିବାର ଲୋକଙ୍କ କହିବା ଅନୁସାରେ ଏହି ବିବାଦୀୟ ଜମିର ସୀମାଙ୍କନ ପାଇଁ ତହସିଲଦାରଙ୍କୁ ସେମାନେ ୨ ମାସ ଆଗରୁ ନିବେଦନ କରିଥିଲେ । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏଥି ସହିତ ଅଭିଯୋଗ ଆଣିଛନ୍ତି ଯେ, ରାଜସ୍ୱ ବିଭାଗର ଜାଣତରେ ସଂପୃକ୍ତ ବ୍ୟକ୍ତିମାନେ ଜମିକୁ ବଳପୂର୍ବକ ଜବରଦଖଲ କରୁଛନ୍ତି । ପରିବାର ଲୋକେ କହିଛନ୍ତି ଯେ, ୧୫୮୪ରେ ସେହି ଜମି ତାଙ୍କର ଥିଲା । କିନ୍ତୁ ଖଳ ପ୍ରକୃତିର ଲୋକେ ପରବର୍ତ୍ତୀ ସମୟରେ ଏହି ଜମି ଉପରେ ଦଖଲ କରି କଲୋନୀ ନିର୍ମାଣ କରିଛନ୍ତି । ପ୍ଲଟ ତିଆରି କରି ଅନ୍ୟକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି । ଅନେକ ଥର ଏମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଛି । କିନ୍ତୁ ଓଲଟା ହତ୍ୟା ଧମକ ମିଳୁଛି ।
