ଆଇପିଏଲ୍-୨୦୨୨ : ଆଜି ଗୁଜୁରାଟ-ହାଇଦ୍ରାବାଦ ମୁକାବିଲା
ମୁମ୍ବାଇ : ଆଇପିଏଲ୍-୨୦୨୨ର ୨୧ତମ ଲିଗ୍ ମ୍ୟାଚ୍ରେ ଷୋମବାର ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଚଳିତ ଆଇପିଏଲ୍ରେ ଏକମାତ୍ର ଦଳ ଭାବେ ଟାଇଟନ୍ସ ଏପର୍ଯ୍ୟନ୍ତ ପରାଜୟର ସାମ୍ନା କରିନାହିଁ । ପ୍ରଥମ ୩ଟି ଯାକ ମ୍ୟାଚ୍ ଜିତି ଟାଇଟନ୍ସ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ସେହିପରି ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ସିଜନର ପ୍ରଥମ ବିଜୟ ହାସଲ କରିଥିବା ସନରାଇଜର୍ସ ପାଇଁ ମ୍ୟାଚ୍ କଡ଼ା ଚ୍ୟାଲେଞ୍ଜ ନେଇ ଆସିଛି ।
ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ହରାଇବା ପରେ ଟାଇଟନ୍ସ ଦଳକୁ ଏଥର ଟାଇଟଲ ଦାବିଦାର ରୂପେ ବିବେଚନା କରାଯାଉଛି । ଦୁର୍ଦ୍ଦର୍ଷ ବ୍ୟାଟିଂ ସାଙ୍ଗକୁ ଘାତକ ବୋଲିଂ ବାହିନୀକୁ ନେଇ ଟାଇଟନ୍ସ ଶକ୍ତିଶାଳୀ ଦଳ ରୂପେ ଉଭା ହୋଇଛି । ଦଳଗତ ପ୍ରଦର୍ଶନ ଓ ଚମତ୍କାର ନେତୃତ୍ୱ ଶୈଳୀକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଶଂସିତ ହେଉଛନ୍ତି ।
ସନରାଇଜର୍ସ ଦଳ ନିକଟରେ ଏକ ଶକ୍ତିଶାଳୀ ବୋଲିଂ ବିଭାଗ ରହିଛି । ହେଲେ ବ୍ୟାଟିଂ ବିଭାଗ ସଦୃଢ ହୋଇନାହିଁ । ଦଳରେ ଷ୍ଟାର ବ୍ୟାଟର ରହିଥିଲେ ହେଁ ଏପର୍ଯ୍ୟନ୍ତ କମାଲ ଦେଖାଇ ନାହାନ୍ତି । କେନ ୱିଲିୟମସନ ଓ ଆଡେନ ମାରକ୍ରମଙ୍କ ଠାରୁ ବଡ ଇନିଂସ ଆଶା କରଯାଉଛି । ଆଜିର ମ୍ୟାଚ୍ରେ ରସିଦ ଖାନଙ୍କ ଉପରେ ନଜର ରହିବ । ରସିଦ ପୂର୍ବରୁ ସନରାଇଜର୍ସ ପକ୍ଷରୁ ଖେଳୁଥିଲେ । ଏଥର ସେ ଟାଇଟନ୍ସ ଦଳର ପ୍ରମୁଖ ସଦସ୍ୟ । ରସିଦଙ୍କ ଯାଦୁକରୀ ସ୍ପିନ ବୋଲିଂର ମୁକାବିଲା କରିବାକୁ ସନରାଇଜର୍ସ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ।
